ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କ୍ରୀଡ଼ାବିତ, ଅଫିସିଆଲ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଉତମ ଆତିଥ୍ୟ ଯୋଗାଇ ଦିଆଯିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ଶୁଭାରମ୍ଭ ହୋଇଛି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଓଡ଼ିଶାରେ ଆୟୋଜିତ ହେବା ସୌଭାଗ୍ୟର ବିଷୟ । ସମଗ୍ର ଦେଶରେ ଓଡ଼ିଶା କ୍ରୀଡ଼ା ରାଜଧାନୀ ଭାବେ ଉଭା ହୋଇଛି । ଓଡ଼ିଶା ପୂର୍ବରୁ ଅନେକ କ୍ରୀଡ଼ା ପ୍ରତିଯୋଗିତା ସଫଳତା ପୂର୍ବକ ଆୟୋଜନ କରିସାରିଛି । ତିନି ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଉପସ୍ଥିତିରେ ଏହି କ୍ରୀଡ଼ା ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି । ଏଥିରେ ପାଖାପାଖି ୧୦୦ ବିଶ୍ୱବିଦ୍ୟାଳୟରୁ ୪ ହଜାରରୁ ଅଧିକ ପ୍ରତିଯୋଗୀ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଓଡ଼ିଶା ସରକାରଙ୍କ ପକ୍ଷରୁ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଲାଗି ସମସ୍ତ ସହଯୋଗ ଯୋଗାଇ ଦିଆଯିବ । ଏଠାକୁ ଆସୁଥିବା କ୍ରୀଡ଼ାବିତ, ଅଫିସିଆଲ ଏବଂ କ୍ରୀଡ଼ାପ୍ରେମୀଙ୍କୁ ଉତମ ଆତିଥ୍ୟ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତାର ଜର୍ସି ଉନ୍ମୋଚନ କରାଯାଇଥିଲା ।

କ୍ରୀଡ଼ା ଓ ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର କ୍ରୀଡ଼ାସୂଚୀ ଉନ୍ମୋଚନ କରିଥିଲେ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଲୋଗୋ ଉନ୍ମୋଚନ କରିଥିଲେ । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ପୋଖରିୟାଲ ‘ନିଶଙ୍କ’ ପ୍ରତିଯୋଗିତାର ମାସ୍କଟ ‘ଜୟ’ ଓ ‘ବିଜୟ’ର ଉନ୍ମୋଚନ କରିଥିଲେ ।

କାର୍ଯ୍ୟକ୍ରମରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, କେନ୍ଦ୍ର କ୍ରୀଡ଼ା ଏବଂ ଯୁବ ବ୍ୟାପାର ବିଭାଗ ସଚିବ ରାଧେଶ୍ୟାମ ଜୁଲାନିୟାଁ, ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବହୁ ବରିଷ୍ଠ ଅଧିକାରୀଙ୍କ ସମେତ ଜାତୀୟ ପୁରୁଷ ହକି ଦଳ, ରାଜ୍ୟର ବହୁ ବିଶିଷ୍ଟ କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ, ସ୍କୁଲକଲେଜର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।