ଝାରସୁଗୁଡା : ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ଓଡ଼ିଶା ପ୍ରଦେଶର ସାଧାରଣ ଅଧିବେଶନ ମହାସଭାର ସଭାପତି ମହେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ୱେବନାର ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପ୍ରସ୍ତାବରେ ଚଳିତ ବର୍ଷର ବନ ମହୋତ୍ସବ ଅବସରରେ ରାଜ୍ୟ ଗୋଁଣ୍ଡ ମହାସଭା ୨୦ ଲକ୍ଷ ବୃକ୍ଷ ରୋପଣ କରିବ। ଏହା ଓଡ଼ିଶାରେ ବସବାସ କରୁଥିବା ପ୍ରାୟ ଚାରି ଲକ୍ଷ ଗୋଁଣ୍ଡ ପରିବାରଙ୍କୁ ଏହି ବୃକ୍ଷ ରୋପଣ ପାଇଁ ସଚେତନତା କରାଯିବ ଓ ପ୍ରତି ପରିବାର ସର୍ବନିମ୍ନ ପାଞ୍ଚଟି ବୃକ୍ଷ ରୋପଣ କରି ତାର ତିନି ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ତୁଲାଇବେ। ଏହି ଗଛ ଗୁଡିକ ନିଜ କିମ୍ବା ବନ୍ଧୁ ବାନ୍ଧବଙ୍କ ବଗିଚା, ବିଲବାଡି, ଗୋଁଣ୍ଡ ମାନଙ୍କର ପୂଜା ପିଠସ୍ଥଲୀ, ତାଙ୍କ ପାଇଁ ଉଦ୍ଧିଷ୍ଟ କମ୍ୟୁନିଟି ସେଣ୍ଟର ଓ ରାସ୍ତା କଡ଼ ଆଦି ସ୍ଥାନରେ ଏହି ବୃକ୍ଷ ରୋପଣ କରାଯିବ। ଏଥିପାଇଁ ସରକାରଙ୍କୁ ଗଛ ଯୋଗାଇ ଦେବା ପାଇଁ ଆବେଦନ କରାଯାଇଛି। ଏହି ଗଛ ଲଗାଇ ତାର ଫଟୋ ନିଜ ନିଜ ଫେସବୁକରେ ତଥା ସୋସିଆଲ ମିଡ଼ିଆରେ ପୋଷ୍ଟ କରିବେ। ଏହି ବୃକ୍ଷ ଗୁଡିକ ବନ ମହୋତ୍ସବ ସପ୍ତାହର ଜୁଲାଇ ୩ ଓ ୪ ତାରିଖ ଦୁଇ ଦିନ ଧରି ସମଗ୍ର ରାଜ୍ୟରେ ଲଗାଯିବ। ଏହି ଅବସରରେ ଯୁକ୍ତ ଦୁଇ ପଢ଼ୁଥିବା ସମାଜର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ପର୍ଯ୍ୟାବରଣ ଉପରେ ବକ୍ତୃତା ପ୍ରତିଯୋଗିତା ହେବ। ଏହି ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ପାଞ୍ଚ ହଜାର, ତିନି ହଜାର ଓ ଦୁଇ ହଜାର ଟଙ୍କାର ନଗଦ ପୁରସ୍କାର ରହିଛି ଏବଂ ଯୋଗ ଦେଇଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯିବ। ମହାସଭାର ବାର୍ଷିକ ଦିବସ ଆସନ୍ତା ଜୁନ ୨୧ ତାରିଖ ଦିନ ଓ ମହାରାଣୀ ଦୁର୍ଗାବତୀଙ୍କର ବଳିଦାନ ଦିବସ ଜୁନ ୨୪ ତାରିଖ ଦିନ ପାଳନ ହେବା ଅବସରରେ ରାଜ୍ୟର ଆଠଟି ବଡ଼ଦେଓ ପାଠାଗାରର ଉନ୍ମୋଚନ ହେବ। ଏହି ସଭାରେ ସର୍ବଶ୍ରୀ ମହିଳା ରାଜ୍ୟ ସଭାନେତ୍ରୀ ସୁକାନ୍ତୀବାଲା ନାଏକ, ରାଜ୍ୟ ଉପ ସଭାନେତ୍ରୀ ଦମୟନ୍ତୀ ମହାପାତ୍ର, ମହାସଚିବ ପ୍ୟାରୀମୋହନ ନାଏକ, ଜିଲ୍ଲା ସଭାପତି ଶ୍ୟାମସୁନ୍ଦର ଭୋଇ, ବଲାଙ୍ଗୀର ଡ଼ମ୍ବରୁଧର ନାଏକ, ଝାରସୁଗୁଡା ପ୍ରଶନ୍ନ ମାଝୀ, ନୂଆପଡା ଭାଗିରଥି ସିଂହ, ବରଗଡ ଶିବ ପ୍ରସାଦ ଗଡନାୟକ, କଟକ ମହେନ୍ଦ୍ର ନାଏକ, ନୟାଗଡ଼ ପ୍ରେମାନନ୍ଦ ନାୟକ, ଖୋର୍ଦ୍ଧା ଗୋବିନ୍ଦ ଚନ୍ଦ୍ର ଭୋଇ, ସୁନ୍ଦରଗଡ ବିରାଜ ଭୋଇ, ସୋନପୁର ପଦ୍ମନ ପାତ୍ର,କଲାହାଣ୍ଡି ତଥା ବିଭିନ୍ନ ଜିଲ୍ଲାର କର୍ମକର୍ତ୍ତା ରାମଚନ୍ଦ୍ର ଧୁରୁଆ, ବିନାପାଣୀ ନାଏକ, ପୁରନ୍ଧର ପଟ୍ଟା, ଯୋଗେଶ୍ୱର ପଟ୍ଟା, ବିଜୟ କୁଅଁର, ଗଙ୍ଗାଧର ଭୋଇ, କୁମୁଦ ଚନ୍ଦ୍ର ପ୍ରଧାନ, ଅହଲ୍ୟା ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।