ବିସିସିଆଇକୁ ଚଳାଉଛି ବିଜେପି

ପିସିବିର ପୂର୍ବତନ ଅଧ୍ୟକ୍ଷ ଏହସାନ ମନିଙ୍କ ବଡ଼ ବୟାନ

ଭାରତ ସହ କ୍ରିକେଟ ସମ୍ପର୍କକୁ ନେଇ ବଡ଼ ବୟାନ ଦେଇଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି)ର ପୂର୍ବତନ ଅଧ୍ୟକ୍ଷ ଏହସାନ ମନି। ବିସିସିଆଇକୁ ବର୍ତ୍ତମାନ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଚଳାଉଛି। ବିଜେପି କଥାରେ ହିଁ ବିସିସିଆଇ କାମ କରୁଛି। ଯଦି ଦୁଇ ଦେଶ ମଧ୍ୟରେ କ୍ରିକେଟ ମ୍ୟାଚ୍‌ ଚାହୁଁଛନ୍ତି, ତା’ହେଲେ ଭାରତ ଏଠାକୁ ଆସୁ। ଆମେ କାହିଁକି ସେମାନଙ୍କ ପଛରେ ସବୁବେଳେ ଗୋଡ଼ାଇବୁ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ “ମୁଁ ପୂର୍ବରୁ ମଧ୍ୟ ଅନେକ ଥର କହିଛି ଯେ ଯଦି ମ୍ୟାଚ୍‌ ଖେଳିବାର ଅଛି, ତା’ହେଲେ ସେମାନଙ୍କୁ(ବିସିସିଆଇ) ଆଗକୁ ଆସିବାକୁ ପଡ଼ିବ। ମୁଁ କେବେ ହେଲେ ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନା କହିନି। କିନ୍ତୁ ଆମର ବି କିଛି ସମ୍ମାନ ଅଛି। ଆମେ କାହିଁକି ଭାରତ ପଛରେ ଦୌଡ଼ିବୁ? ଯଦି ସେମାନେ ପ୍ରସ୍ତୁତ, ତା’ହେଲେ ବି ଖେଳିବାକୁ ପ୍ରସ୍ତୁତ ହୋଇଯିବୁ।”

କ୍ରିକେଟ ପାକିସ୍ତାନ ସହ କଥା ହେବା ବେଳେ ଏହସାନ ବିସିସିଆଇ-ପିସିବି ମଧ୍ୟରେ ଥିବା ସମ୍ପର୍କ କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, ବିସିସିଆଇର ମୁଖ୍ୟ ସୌରଭ ଗାଙ୍ଗୁଲି ରହିଥିଲେ ମଧ୍ୟ ବୋର୍ଡର ସମ୍ପାଦକ କିଏ ଅଛନ୍ତି ଆପଣ ଜାଣିଛନ୍ତି? ଭାରତର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ପୁଅ ଜୟ ଶାହ ହେଉଛନ୍ତି ବିସିସିଆଇର ସମ୍ପାଦକ। ଆଉ ଜଣେ ମନ୍ତ୍ରୀଙ୍କ ଭାଇ ବିସିସିଆଇର କୋଷାଧ୍ୟକ୍ଷ। ବିସିସିଆଇ ଉପରେ ପ୍ରକୃତ ନିୟନ୍ତ୍ରଣ ବିଜେପି ହାତରେ ରହିଛି। ବିଜେପି ହିଁ ପୂରା ବିସିସିଆଇକୁ ପରିଚାଳନା କରୁଛି ବୋଲି ସେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଭାରତ ଓ ପାକିସ୍ତାନ ଶେଷଥର ପାଇଁ ୨୦୧୨ରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିଥିଲେ। ଏହି ସମୟରେ ପାକିସ୍ତାନ ଟିମ୍‌ ଭାରତ ଗସ୍ତରେ ଆସିଥିଲା। ସେବେଠାରୁ ଆଉ ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସିରିଜ୍‌ ହେଉନାହିଁ।