ନୂଆ ପ୍ରକାର ଜନ୍ମ ନିୟନ୍ତ୍ରଣ : “ଫିମେଲ୍ କଣ୍ଡୋମ୍’,ଜାଣନ୍ତୁ କେମିତି କରିବେ ବ୍ୟବହାର

ଡାକ୍ତର ଶୁଭଶ୍ରୀ ମିଶ୍ର

ବିଦେଶରେ ରହୁଥିବା ମୋ ସ୍କୁଲ ବେଳର ବାନ୍ଧବୀ ଅର୍ଚ୍ଚିତାକୁ ବହୁଦିନ ପରେ ଭୁବନେଶ୍ୱରରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ଭେଟିଲି । ଅନେକ ବର୍ଷପରେ ଦୁଇ ବାନ୍ଧବୀ ଅଲଗା ହୋଇଯାଇଥିବାରୁ ଖୁସି ଗପସପ ଭିତରେ କିଏ କାଆର ବୃତ୍ତି ବିଷୟରେ ନାଁ ଜାଣିଥିଲେ ନାଁ ଥିଲା ଯୋଗାଯୋଗ । ମୁଁ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗର ଡାକ୍ତରାଣୀ ଆଉ ସିଏ ଜଣେ ଆଇଟି କମ୍ପାନୀର ବଡ଼ କାର୍ଯ୍ୟନିର୍ବାହୀ ପଦବୀରେ କାର୍ଯ୍ୟରତ । ମୁଁ ମହିଳା ଡାକ୍ତରାଣୀ ବୋଲି ସେ ଜାଣିବା ପରେ କହିଲା “ତୁ ଫିମେଲ କଣ୍ଡୋମ ବିଷୟରେ ଜାଣିଛୁ ନାଁ, କାରଣ ଲଣ୍ଡନରେ ଏହାର ବ୍ୟବହାର ଓ ଚାହିଦା ବହୁତ । ଅର୍ଚ୍ଚିତାର କଥା ଶୁଣି ଟିକେ ହସିଲି ଆଉ ତାକୁ କହିଲି ମୁଁ ଯାହା କହୁଛି ତୁ ଟିକେ ଶୁଣୁ’ । ଏବେ ନୂଆ ପ୍ରକାର ଏକ ଜନ୍ମ ନିୟନ୍ତ୍ରଣ ସାମୟିକ ପନ୍ଥା ଚାଲୁ ହୋଇଛି । ତାହା ହେଲା – “ଫିମେଲ୍ କଣ୍ଡୋମ୍’ । ମହିଳାମାନେ ନିଜେ ଏହାର ବ୍ୟବହାର କରି ପାରିବେ । ଫଳରେ ଦୁଇଟି ଲାଭ ମିଳିବ । ପ୍ରଥମଟି ହେଲା ଗର୍ଭସଞ୍ଚାର ରୋକିବ ଏବଂ ଦ୍ୱିତୀୟରେ ଯୌନ ରୋଗ ସଂକ୍ରମଣକୁ ପ୍ରତିରୋଧ କରିବ । ଆପଣ ଯାହା ସହ ମିଶିବାକୁ ଚାହୁଁଛନ୍ତି, ସେ ଯଦି କଣ୍ଡୋମ୍ ବ୍ୟବହାର କରିବାକୁ ଆଗ୍ରହୀ ନୁହନ୍ତି କିମ୍ବା ଆପଣ ଯଦି ଗର୍ଭନିରୋଧକ ବଟିକା ଖାଇବାରେ ଅଥବା ଆଇ.ୟୁ.ଡ଼ି. ପିନ୍ଧିବାରେ ଅସୁବିଧା ଥାଏ ତା’ହେଲେ ଏଇ ଫିମେଲ କଣ୍ଡୋମ ବ୍ୟବହାର କରିବା ଖୁବ୍ ଜରୁରୀ ।

ଫିମେଲ୍ କଣ୍ଡୋମ୍କଣ?: ଏହା ହେଉଛି ଏକ ବିଶେଷ ପ୍ରକାରର ପ୍ଲାଷ୍ଟିକ୍ (ପଲିୟୁରିଥେନ୍) ଦ୍ୱାରା ତିଆରି ବର୍ଣ୍ଣହୀନ, ଗନ୍ଧହୀନ ଟ୍ୟୁବ୍ । ଏହାର ଉପର ପାଖ ବନ୍ଦ ଓ ତଳ ପାଖ ଖୋଲା । ଏଇ କଣ୍ଡୋମ୍ର ଦୁଇପାଖରେ ଦୁଇଟି ରିଂ ରହିଛି ।

ଏହାର ଆକାର: ଫିମେଲ୍ କଣ୍ଡୋମ୍ର ମାପ ପ୍ରାୟ “ମେଲ୍ କଣ୍ଡୋମ୍’ ଭଳି । ଲମ୍ବାରେ ପ୍ରାୟ ୧୭୦ ସେମି ଏବଂ ସବୁଠାରୁ ଚଉଡା ଅଂଶର ଆକାର ୭୮ ମିମି, ଯାହା ମେଲ୍ କଣ୍ଡୋମ୍ ଠାରୁ ଟିକେ ବେଶି ।

ସୁବିଧା କ?: ଏହି ପନ୍ଥା ପୁରୁଷର ଇଛା ବା ମର୍ଜି ଉପରେ ନିର୍ଭରଶୀଳ ନୁହେଁ ବରଂ ସୁଖାନୁଭୂତି ବି ଅଧିକ । କଣ୍ଡୋମ୍ର ଉପର ରିଂ ଟି କିଛିଟା ଅସ୍ୱସ୍ତିକର ହେଲେ ବି ତଳ ରିଂ ଟି ଶକ୍ତ ହେବା କାରଣରୁ ମିଳନ ଆରାମଦାୟକ ହୁଏ । ଏହା ମେଲ୍ କଣ୍ଡୋମ୍ ଠାରୁ ଅଧିକ ପତଳା ବୋଲି ରତିସୁଖ ବି ଅଧିକ ମିଳେ । ମିଳନ ସମୟରେ ନାରୀ-ପୁରୁଷର ଭଙ୍ଗୀ ଯାହାହେଉନା କାହିଁକି ବା ସଙ୍ଗମ ଯେତେ ବି ଉଦ୍ଦାମ ହେଉନା କାହିଁକି, କଣ୍ଡୋମ୍ ଫାଟି ଯିବାର ସମ୍ଭାବନା ମେଲ୍ କଣ୍ଡୋମ୍ ତୁଳନାରେ ଯଥେଷ୍ଟ କମ୍ ।

ଡିସ୍ପାରୁଇନିଆ ପାଇଁ କଷ୍ଟ ହୁଏନି: ଅନେକ କ୍ଷେତ୍ରରେ କାହାରି ରଜଃନିବୃତ୍ତି ପାଞ୍ଚଦଶ ବର୍ଷ ପୂର୍ବରୁ ଦେହରେ ସ୍ତ୍ରୀ ହର୍ମୋନ୍ର ମାତ୍ରା କମିଯାଏ, ଫଳରେ ଯୋନି ପଥ କେମିତି ଶୁଷ୍କ ଲାଗେ । କେବଳ ବୟସ ହେଲେ ନୁହେଁ, ଅନେକ ଯୁବତୀ ମହିଳାଙ୍କ ମାନସିକ ଚିନ୍ତା ଯୋଗୁଁ ମିଳନ ସମୟରେ ଯୋନିପଥ ପିଚ୍ଛିଳ ହୁଏନା । ଯାହାଫଳରେ ସେମାନେ ସବୁବେଳେ ଏକପ୍ରକାର ମଲମ ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି, ଏଇଥିପାଇଁ ଯେ ସହବାସ ସମୟରେ ସେମାନେ ଅଧିକ କଷ୍ଟ ପାଇ ଥାଆନ୍ତି । ବିଜ୍ଞାନ ଭାଷାରେ ଏହାକୁ କୁହାଯାଏ – “ଡ଼ିସ୍ପାରୁଇନିଆ’ । ମାତ୍ର ଏଇ ନୂଆ ଫିମେଲ କଣ୍ଡୋମ୍ ବ୍ୟବହାରରେ ଏହି ଭୟ ଥାଏନା ।

ମିଳନ ପରେ: ଧାତୁସ୍ଖଳନ ପରେ ତରତରରେ ମେଲ୍ କଣ୍ଡୋମ୍ ବାହାର କରିବା ଦରକାର ପଡ଼େ  । ମାତ୍ର ଫିମେଲ୍ କଣ୍ଡୋମ୍ ବ୍ୟବହାର କଲେ ଏତେ ବ୍ୟସ୍ତ ହେବା ଦରକାର ନାହିଁ । ଦୁଇ ଚାରି ଘଣ୍ଟାପରେ ବି ବାହାର କଲେ ଚିନ୍ତା ନାହିଁ  । ତେବେ ବିଛଣା ଛାଡ଼ି ଉଠିବା ଆଗରୁ ଅବଶ୍ୟ କଣ୍ଡୋମ୍ଟି ବାହାର କରିଦେବା ଉଚିତ । ନହେଲେ ଶୁକ୍ରାଣୁ ଚହଲି ପଡ଼ି ଯାଇପାରେ ଆଉ ଶୁକ୍ରରେ ଯୌନ ରୋଗର ଜୀବାଣୁ ଥିଲେ ତାହା ମହିଳାର ଜନନେନ୍ଦ୍ରିୟରେ ଲାଗି ଯାଇପାରେ, ଫଳରେ ଯୌନ ରୋଗର ସମ୍ଭାବନା ସୃଷ୍ଟି ହୁଏ ।

ଯୌନ ରୋଗ ସଂକ୍ରମଣରୁ ମୁକ୍ତି ମିଳେ: ଏହି  “ଫିମେଲ୍ କଣ୍ଡୋମ୍’ ସରଭାଇକାଲ କ୍ୟାପ୍ ବା ଡାୟାଫ୍ରାମ୍ ଭଳି କେବଳ ଜଠର ମୁହଁ କୁ ଢ଼ାଙ୍କି ରଖେ, ତାହା ନୁହେଁ । ଏହା ସରଭିକ୍ସ ଓ ସଂପୂର୍ଣ୍ଣ ଯୋନିପଥ ଏବଂ ସ୍ତ୍ରୀ ଜନାନାଙ୍ଗର ବାହାରର କିଛି ଅଂଶ ଘୋଡ଼େଇ ରଖେ । ଫଳରେ ଯୌନରୋଗ ପ୍ରତିରୋଧରେ ଏହା ଡାୟାଫ୍ରାମ୍ ବା ସରଭାଇକାଲ କ୍ୟାପ୍ ଠାରୁ ଅନେକ ବେଶୀ କାମ କରେ  । ଏହାଛଡ଼ା ଗର୍ଭସଞ୍ଚାର ରୋକିବାରେ ଏହି କଣ୍ଡୋମ୍ ଏବେ ମୁଖ୍ୟ ଭୂମିକା ଗ୍ରହଣ କରେ  ।

କେଉଁମାନେ ବ୍ୟବହାର କରିବେ?

-ଯେଉଁ ମହିଳାଙ୍କର ପାର୍ଟନର “ମେଲ୍ କଣ୍ଡୋମ୍’ ବ୍ୟବହାର କରିବାକୁ ଅରାଜି କିନ୍ତୁ ପୁରୁଷଟି ଯୌନରୋଗରେ ଆକ୍ରାନ୍ତ ବୋଲି ମହିଳାଜଣକ ସନ୍ଦେହ କରୁଛି, ସେ କ୍ଷେତ୍ରରେ ଏହା ଏକ ଆଦର୍ଶ ପନ୍ଥା । ଅନିୟମିତ ବା ନନ୍ରେଗୁଲାର ଯୌନସାଥୀ ପାଇଁ ଏହା ଖୁବ୍ ପ୍ରଯୁଜ୍ୟ ।

-ଋତୁସ୍ରାବ ଚାଲିଥିବାବେଳେ ଯଦି ସହବାସ ପାଇଁ ଇଛା ହେଲା, ସେତେବେଳେ “ଫିମେଲ୍ କଣ୍ଡୋମ୍’ ବ୍ୟବହାର କରିବା ସବୁଠୁ ଭଲ ।

-ଯେଉଁ ପୁରୁଷମାନଙ୍କର ଲେଟେକ୍ସ କଣ୍ଡୋମ୍ରେ ଆଲର୍ଜି ରହିଛି (ପ୍ରାୟ ୮% ପୁରୁଷ) ସେ କ୍ଷେତ୍ରରେ ବି ଏକ କଥା ।

-ଭାରତର ଅନେକ ପ୍ରଜନନକ୍ଷମ ନାରୀମାନଙ୍କର ଜରାୟୁ ମୁହଁ ବା ସରଭିକ୍ସରେ ବଡ଼ ଘା’ଥାଏ । ସେହି ମହିଳାମାନେ ଗର୍ଭନିରୋଧକ ବଟିକା ଖାଇ ପାରନ୍ତି ନାହିଁ । ଠିକ୍ ସେମିତି ଭାରତର ଲକ୍ଷାଧିକ ମହିଳାଙ୍କର ଜରାୟୁରେ ସଂକ୍ରମଣ ଥିବାରୁ ସେମାନେ ଆଇ.ୟୁ.ଡ଼ି. ପିନ୍ଧି ପାରନ୍ତି ନାହିଁ । ଏହି ମହିଳାମାନଙ୍କ ପାଇଁ “ଫିମେଲ୍ କଣ୍ଡୋମ୍’ ବରଦାନ ଭଳି ସାବ୍ୟସ୍ତ ହୋଇଛି ।

କ’ଣ ଭୁଲ୍ ହୋଇପାରେ

“ଫିମେଲ୍ କଣ୍ଡୋମ୍’ ପିନ୍ଧି ନେବା ପୂର୍ବରୁ କେହି ଯଦି ମିଳନରେ ମାତିଯାଏ (ଅର୍ଥାତ୍ ଲଭ ପ୍ଲେ ବା ଫୋର ପ୍ଲେ କରିବା ସମୟରେ) ତା’ହେଲେ ଗର୍ଭସଞ୍ଚାର ହୋଇପାରେ । କାରଣ ଅନେକ ଭାବନ୍ତି ଯେ ପୁରୁଷର ଅରଗାଜମ୍ ସମୟରେ ଯେଉଁ ଧାତୁ ନିସୃତ ହୁଏ, କେବଳ ସେଥିରେ ଶୁକ୍ରାଣୁ ଥାଏ  । ଏହା ଏକଦମ୍ ଭୁଲ ଧାରଣା  । ତେଣୁ ରତିମିଳନ କରିବେ ବୋଲି ମନସ୍ଥ କରିବାପରେ ଶାରୀରିକ ସମ୍ପର୍କ ଆରମ୍ଭରୁ “ଫିମେଲ୍ କଣ୍ଡୋମ୍’ ପିନ୍ଧି ନେବାକୁ ପଡ଼ିବ  । କିଛି ସମୟ ଅସୁରକ୍ଷିତ ଯୌନକ୍ରିୟା କରି ଶେଷଆଡ଼କୁ “ଫିମେଲ୍ କଣ୍ଡୋମ୍’ ପିନ୍ଧିଲେ କିନ୍ତି ଗର୍ଭସଞ୍ଚାର ହୋଇଯାଇପାରେ ।

ଡାକ୍ତର ଶୁଭଶ୍ରୀ ମିଶ୍ର

ସହକାରୀ ପ୍ରଫେସର, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ, କଟକ,

ଦୂରଭାଷ : ୯୮୬୧୪୬୩୪୦୬