ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ ଜର୍ସି ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଇସ୍ପାତ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖେଲୋ ଇଣ୍ଡିଆ ଭଳି ଅଭିଯାନର ଆରମ୍ଭ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା କ୍ରୀଡ଼ାର ପ୍ରୋତ୍ସାହନ ମିଳିବା ସ୍ୱାଗତଯୋଗ୍ୟ ବୋଲି ସେ କହିଥିଲେ । ଖେଲୋ ଇଣ୍ଡିଆ ଭଳି ଅଭିଯାନ ଓଡ଼ିଶାର ଗ୍ରାମୀଣ ଓ ଆଦିବାସୀ ଅଂଚଳର କ୍ରୀଡ଼ା ପ୍ରତିଭାଙ୍କ ବିକାଶ ଲାଗି ମୂଳଦୁଆ ପ୍ରତିଷ୍ଠା କରିବ । ଶ୍ରୀ ପ୍ରଧାନ ଆହୁରି କହିଥିଲେ ଯେ ଓଡ଼ିଶାରେ କ୍ରୀଡ଼ା ପ୍ରତିଭାଙ୍କର ଅଭାବ ନାହିଁ । ବିଗତ ଦିନରେ ଓଡ଼ିଆ କ୍ରୀଡ଼ା ପ୍ରତିଭାମାନେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ବିଶେଷ ସଫଳତା ହାସଲ କରିଛନ୍ତି । ଦୂତୀ ଚାନ୍ଦଙ୍କ ଭଳି ଖେଳାଳୀ ରାଜ୍ୟର ଗୌରବ । ବିଗତ ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାରେ ସଫଳ ହୋଇଥିବା ଓଡ଼ିଆ ପ୍ରତିଯୋଗୀମାନଙ୍କ ମଧ୍ୟରେ ଅଧିକାଂଶ ଆଦିବାସୀ ବର୍ଗର ଥିଲେ । ରାଜ୍ୟରେ ପ୍ରାୟ ୨୫ ପ୍ରତିଶତ ଆଦିବାସୀ ରହିଛନ୍ତି, ଏମାନଙ୍କ ମଧ୍ୟରେ ବହୁସଂଖ୍ୟକ କ୍ରୀଡ଼ା ପ୍ରତିଭା ରହିଛନ୍ତି । ଓଡ଼ିଶାର କୋଣଅନୁକୋଣରେ ଥିବା କ୍ରୀଡ଼ା ସଂଗଠନ ଏବଂ ଯୁବ ସଂଗଠନଗୁଡ଼ିକୁ ରାଜ୍ୟ ତଥା ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତା ସହ ଯୋଡ଼ାଗଲେ କ୍ରୀଡ଼ାର ଆହୁରି ବିକାଶ ହୋଇପାରିବ ବୋଲି ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା । ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ । ଓଡିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟର ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅନେକ ସ୍ପେଷ୍ଟ୍‌ସ କ୍ଲବ ଏବଂ ଯୁବ ସଂଗଠନ ଅଛି । ଏହି ସମସ୍ତଙ୍କୁ ଯୋଡିବାର ମାଧ୍ୟମ ଖେଲୋ ଇଣ୍ଡିଆ ବୋଲି ସେ ପରିପ୍ରକାଶ କରିଛନ୍ତି ।

ଏହି ଅବସରରେ ସେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତାର ଲୋଗୋ ଉନ୍ମୋଚନ କରିଥିଲେ ।