ପ୍ରକାଶ ପାଇଲା ଓଏଏସ୍ ରେଜଲ୍‌ଟ : ଦେବାଶିଷ ପଣ୍ଡା ଟପ୍ପର

କଟକ : ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ୨୦୧୮ ମସିହା ଲାଗି ଆୟୋଜିତ ରାଜ୍ୟ ପ୍ରଶାସନିକ ସେବା(ଓଏଏସ୍) ପରୀକ୍ଷାରେ ୨୧୮ ଜଣ ପ୍ରାର୍ଥୀ କୃତକାର‌୍ୟ୍ୟ ହୋଇଛନ୍ତି। ସଫଳ ପ୍ରାର୍ଥୀଙ୍କ ମଧ୍ୟରେ ୭୨ ଜଣ ମହିଳା ଓଏସ୍ ପାଇଥିବା ଜଣାପଡିଛି। ଦେବାଶିଷ ପଣ୍ଡା ଓଏଏସ ଟପ୍ପର ହୋଇଥିବା ବେଳେ ଋତୁପର୍ଣ୍ଣା ମହାପାତ୍ର ମହିଳା ଟପ୍ପର ହୋଇଛନ୍ତି। ତୃତୀୟ ସ୍ଥାନରେ ରହିଛନ୍ତି ଆକାଶ କୁମାର ପଣ୍ଡା।
ଓଏଏସ୍ ଟପ୍ ଟେନ ସୂଚୀରେ ୬ ଜଣ ମହିଳା ପ୍ରାର୍ଥୀ ଥିବା ବେଳେ ଟପ୍ପରଙ୍କୁ ମିସାଇ ୪ ଜଣ ପୁରୁଷ ଅଛନ୍ତି। ଚୂଡାନ୍ତ ମନୋନୟନ ଲାଗି ଗତ ଡିସେମ୍ବର ୧୭ରୁ ୨୮ ତାରିଖ ପର‌୍ୟ୍ୟନ୍ତ ସାକ୍ଷାତକାର ପରୀକ୍ଷା ହୋଇଥିଲା। ଏହି ପରୀକ୍ଷା ୯ ଦିନ ପରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇଛି।
ଏହି ପ୍ରାର୍ଥୀମାନେ ଓଡ଼ିଶା ସରକାରଙ୍କ ଗ୍ରୁପ-ଏ ଓ ଗ୍ରୁପ୍-ବି ବର୍ଗରେ ଚାକିରି କରିବାର ସୁଯୋଗ ପାଇବେ। ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ୨୦୧୮ ମସିହା ପାଇଁ ଅନୁଷ୍ଠିତ ଏହି ପ୍ରଶାସନିକ ସେବା ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ନଭେମ୍ବର ମାସରେ ଏହି ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍ ଅନୁସାରେ ପରୀକ୍ଷାରେ ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ତାଙ୍କ ତଳକୁ ଋତୁପୂର୍ଣ୍ଣା ମହାପାତ୍ର, ଆକାଶ କୁମାର ପଣ୍ଡା, ସନ୍ତୋଷିନୀ ଦାଶ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନୀଲରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ଅଛନ୍ତି।