ନିଶ୍ଚିନ୍ତକୋଇଲି: ମାହାଙ୍ଗା ନିର୍ବାଚନମଣ୍ଡଳୀ ଅଧୀନରେ ଥିବା ନିଶ୍ଚିନ୍ତକୋଇଲି ବ୍ଲକ୍ ରାମକୃଷ୍ଣପୁର ପଞ୍ଚାୟତରେ ଆଜି ଅପରାହ୍ଣରେ ମାହାଙ୍ଗା ବିଧାୟକ ତଥା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ୬କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ସାଲେପୁର ପୂର୍ତ୍ତ ବିଭାଗ ଅଧୀନରେ ଥିବା ରାମକୃଷ୍ଣପୁର ଅର୍ଜୁନମାହାରାଠାରୁ ତଳ ନହଙ୍ଗ ପାଟପାରୀ ରାସ୍ତାର ଶିଳାନ୍ୟାସ କରିଥିଲେ । ଏହି ରାସ୍ତା ପାଇଁ ୩କୋଟି ୩୫ଲକ୍ଷ ୮୮ହଜାର ଟଙ୍କା ମଞ୍ଜୁର ହୋଇଥିବା
ବିଭାଗୀୟ ଅଧିକାରୀ ପ୍ରକାଶ କରିଥିଲେ । ସେହିପରି ୧କୋଟି ୫୦ଲକ୍ଷ ଟଙ୍କା ବ୍ୟୟରେ ରାମକୃଷ୍ଣପୁର ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ କରାଯାଇଥିଲା । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ରାମକୃଷ୍ଣପୁର-ଦହପଡ଼ା ଗ୍ରାମ୍ୟ ପାନୀୟଜଳ ପ୍ରକଳ୍ପର ଶିଳାନ୍ୟାସ, ଆମ ଗାଁ ଆମ ବିକାଶ ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ଗୃହ, ଗ୍ରାମ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟାଳୟର ଶିଳାନ୍ୟାସ, ଦହପଡ଼ା ବିଜୁ ମାର୍କେଟ କମ୍ପେକ୍ସ, ସୌରଶକ୍ତି ପାନୀୟ ଜଳ ପ୍ରକଳ୍ପ, ବଜ୍ର ମହାକାଳ କୋଠାଘର, ବେହେରା ସାହି କମ୍ୟୁନିଟି ସେଣ୍ଟର ଗୃହର ଶିଳାନ୍ୟାସ କରିବା ସହ ନାଗେଶ୍ୱର ଆନନ୍ଦ ଭବନ, ରାମକୃଷ୍ଣପୁର ଅଙ୍ଗନବାଡି-୨ୟ କେନ୍ଦ୍ର ଏବଂ ବଜ୍ର ମହାକାଳ ମଣ୍ଡପର ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ରାମକୃଷ୍ଣପୁରଠାରେ ଆୟୋଜିତ ଉତ୍ସବରେ ବିଜେଡି ଯୁବନେତା ଅଶୋକ କୁମାର ଓଝା ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ମନ୍ତ୍ରୀ ଶ୍ରୀ ଜେନା ଯୋଗ ଦେଇ ଓଡ଼ିଶାର ସାମଗ୍ରିକ ବିକାଶ କରିବା ତଥା ଗ୍ରାମାଞ୍ଚଳକୁ ସହରାଞ୍ଚଳ ପରି କରିବା ବିଜେଡି ସରକାରଙ୍କ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ବର୍ଣ୍ଣନା କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ନିଜସ୍ୱ ପାଣ୍ଡିରୁ ୫ଶହ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିଶ୍ଚିନ୍ତକୋଇଲି ବିଡିଓ ସୁରେଶ ଚନ୍ଦ୍ର ପ୍ରଧାନ, ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ଗିରିଶ ରଞ୍ଜନ ମହାପାତ୍ର, ପଞ୍ଚାୟତ ସମିତି ଅଧ୍ୟକ୍ଷା ସବିତା ଓଝା, କଟକ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିବେକାନନ୍ଦ ସାମନ୍ତରାୟ ପ୍ରମୁଖ ଏହି ଉତ୍ସବରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ସରପଞ୍ଚ ମନୋରଞ୍ଜନ ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।