କନ୍ଧମାଳ ଜିଲ୍ଲାରେ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତିବଦ୍ଧ- ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

କନ୍ଧମାଳ : ଉତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ପାଇଁ ଅର୍ଥର ଅଭାବ ନାହିଁ । କନ୍ଧମାଳ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ବିକାଶ ମାଧ୍ୟମରେ ଜିଲ୍ଲାର ଜନସାଧାରଣଙ୍କୁ ଉତ୍ତମ ମାନର ଚିକିତ୍ସା ସେବା ଯୋଗାଇ ଦେବାକୁ ସରକାର ସମ୍ପୂର୍ଣ୍ଣଭାବେ ପ୍ରତିଶ୍ରୁତିବଦ୍ଧ । ଏହି ଶାନ୍ତିପ୍ରିୟ ଜିଲ୍ଲା ଆଜି ଏକ ବିକାଶିତ ଜିଲ୍ଲାର ମାନ୍ୟତା ପଥରେ ଅଗ୍ରସର ହେଉଥିବାରୁ ଜିଲ୍ଲାର ଜନ ପ୍ରତିନିଧିଙ୍କ ସମେତ ଜିଲ୍ଲା ପ୍ରଶାସନ ମଧ୍ୟ ଧନ୍ୟବାଦର ପାତ୍ର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ ଆୟୋଜିତ ସମୀକ୍ଷା ବୈଠକରେ ଯୋଗଦେଇ ଶ୍ରୀଜେନା ଜିଲ୍ଲାର ସ୍ୱାସ୍ଥ୍ୟ ଉପକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଆବଶ୍ୟକ ଥିବା ଭିତ୍ତିଭୂମି ସମ୍ପର୍କରେ ଏକକାଳୀନ ମାଷ୍ଟର୍ ପ୍ଲାନ୍ ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର ପ୍ରଦାନ କରିବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ନିକଟରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀ ପୂର୍ବରୁ ଏହା ପ୍ରସ୍ତୁତ କରି ସେଠାରେ ଏହାକୁ ଉତ୍ଥାପନ କରାଯିବ ବୋଲି ସେ କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିଷ୍କାର ପରିଛନ୍ନତାକୁ ମନ୍ତ୍ରୀ ପ୍ରଶଂସା କରିବା ସହିତ ରୋଗୀ ପ୍ରତୀକ୍ଷାଳୟ ସମ୍ପର୍କୀତ ସମସ୍ତ ବ୍ୟବସ୍ଥାର ଉନ୍ନତିକରଣ, ଦିବ୍ୟାଙ୍ଗମାନଙ୍କ ପାଇଁ ର‌୍ୟାମ୍ପ ନିର୍ମାଣ ଆଦି ଅନ୍ୟାନ୍ୟ ସୁବିଧା ସୁଯୋଗ ପ୍ରତି ଧ୍ୟାନ ଦେବାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିକଟ ଭବିଷ୍ୟତରେ ରାଜ୍ୟରେ ୧୯୫୦ ଜଣ ଡାକ୍ତରଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପ୍ରୟାସ ଆରମ୍ଭ ହୋଇଛି ବୋଲି ସେ କହିଥିଲେ । ଏହାସହ ସ୍ୱାସ୍ଥ୍ୟ ସେବା ସମ୍ପର୍କୀତ ଅନ୍ୟାନ୍ୟ ପଦବି ଯଥାଶୀଘ୍ର ପୂରଣ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ ।

କନ୍ଧମାଳ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି ବହୁ ପ୍ରତିକ୍ଷିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍ ସେବା, ବାର୍ଦ୍ଧକ୍ୟ ରୋଗ ଜନିତ ସେବା ୱାର୍ଡ, ଔଷଧ ପ୍ରତିରୋଧି, ଯକ୍ଷ୍ମା ରୋଗୀ ସେବାକେନ୍ଦ୍ର, ରକ୍ତ ଶିକୁଳୀ ରୋଗୀ ସେବା କେନ୍ଦ୍ର, ଡିଜିଟାଲ୍ ରୋଗୀ ପଞ୍ଜିକରଣ ସେବା ଆଦି ଉଦ୍ଘାଟନ ସହିତ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ପ୍ରସବ ଯାନ ଏବଂ ୨ଟି ବାଇକ୍ ଆମ୍ବୁଲାନ୍ସକୁ ଲୋକାର୍ପିତ କରିଥିଲେ । ସେହିପରି ବାଲନ୍ଦାପଡ଼ା ଚିକିତ୍ସା କେନ୍ଦ୍ର ପାଇଁ ମାତୃତ୍ୱ ପ୍ରତୀକ୍ଷାଳୟର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଥିଲେ । ଅନୁଷ୍ଠିତ ସମୀକ୍ଷା ବୈଠକରେ, ଫୁଲବାଣୀ ବିଧାୟକ ଦୁଗୁନି କହଁର ସିଟି-ସ୍କାନ୍ ମେସିନ୍ ସ୍ଥାପନ, ରେଡିଓଲୋଜିଷ୍ଟ ପଦବି ପୂରଣ, ଜିଲ୍ଲାରେ ମେଡିକାଲ୍ କଲେଜ୍ ପ୍ରତିଷ୍ଠା, ଆଦି ଦାବି ଉପସ୍ଥାପନ କରିଥିବା ବେଳେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ଉପରେ ୫ ଟି ବ୍ଲକ୍ର ଜନସାଧାରଣ ନିର୍ଭର କରୁଥିବାରୁ ଏହାର ଉନ୍ନତ୍ତିକରଣ କରି ଉପ-ମୁଖ୍ୟ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିବା ଏବଂ ଟିକାବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଚାରୋଟି ବ୍ଲକ୍ର ଜନସାଧାରଣ ନିର୍ଭର କରୁଥିବାରୁ ସେଠାରେ ବିଶେଷଜ୍ଞ ପଦବିପୂରଣ ଉପରେ କନ୍ଧମାଳ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲ୍ଲିକ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲା ପରିଷଦ ସଭାପତି ଆକାଂକ୍ଷା ପ୍ରଧାନ ମଧ୍ୟ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବାର ଉନ୍ନତ୍ତିକରଣ ଦିଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହିତ ଜନସାଧାରଣଙ୍କ ବିଭିନ୍ନ ଦାବି ସମ୍ପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଜିଲ୍ଲାପାଳ ଡା ବୃନ୍ଦା ଡି ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଆଲୋଚନା ପାଇଁ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସମୀର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ମନ୍ତ୍ରୀ ସର୍କିଟ୍ ହାଉସଠାରୁ ମୁଖ୍ୟ ଚିକିତ୍ସାଳୟକୁ ଆସିବା ବେଳେ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ନେତୃତ୍ୱରେ ଏକ ବିରାଟ ବାଇକ୍ ର‌୍ୟାଲି ତାଙ୍କୁ ଶୋଭାଯାତ୍ରାରେ ଆଣିଥିଲା । ମନ୍ତ୍ରୀଙ୍କ ଗସ୍ତ ଅବସରରେ ସର୍କିଟ୍ ହାଉସଠାରେ ବିଜେଡି ଦଳର ନେତା ଓ କର୍ମୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।