୨୨ରେ ଓଡିଶାରେ ପହଁଚିବ ଭାରତରତ୍ନ ଅଟଳ ବିବାରୀ ବାଜପେୟୀଙ୍କ ଅସ୍ଥି,ଶ୍ରୀ କ୍ଷେତ୍ର ପୁରୀ ମହୋଦଧୀରେ ୨୩ରେ ହେବ ବିସର୍ଜନ

ପୁରୀ : ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି ୨୨ତାରେ ଓଡିଶା ଆସିବ । ୨୩ ତାରିଖରେ ଅସ୍ଥି କଳସ ଜଗନ୍ନାଥ ଧାମ ଶ୍ରୀକ୍ଷେତ୍ର ପୁରୀର ମହୋଦଧୀରେ ବିସର୍ଜନ କରାଯିବ । ଏନେଇ ପ୍ରସ୍ତୁତି ସରିଛି ।
ମିଳିଥିବା ସୂଚନା ଅନୁସାରେ ବାଜପେୟୀଙ୍କର ଅସ୍ଥି କଳସ ୨୨ ତାରିଖରେ ଓଡିଶାରେ ପହଁଚିବାପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସର୍ବସାଧାରଣଙ୍କ ଦର୍ଶନ ଲାଗି ରଖାଯିବ । ସାଧାରଣ ଲୋକେ ଅସ୍ଥି କଳସ ଦର୍ଶନ କରିବା ସହ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଚଳି ଦେଇପାରିବେ । ଏହାର ପରଦିନ ଅର୍ଥାତ ୨୩ ତାରିଖ ଦିନ ଭୁବନେଶ୍ୱରରୁ ପୁରୀ ଯାଏ ଅସ୍ଥି କଳସକୁ ଶୋଭାଯାତ୍ରାରେ ନିଆଯାଇ ବିସର୍ଜନ କରାଯିବ ।

ଶୋଭାଯାତ୍ରାରେ ବାଜପେୟୀଙ୍କ ଅସ୍ଥିକୁ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ନିଆଯିବ । ଏକ ଖୋଲା ସୁସଜ୍ଜିତ ଟ୍ରକରେ ଅଜାତଶତ୍ରୁ ଅଟଳଙ୍କ ଅସ୍ଥିକୁ ପୁରୀ ସମୁଦ୍ର ଅଭିମୁଖେ ନିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ଭୁବନେଶ୍ୱର ଏବଂ ପୁରୀ ରାସ୍ତାରେ ମଧ୍ୟ ସାଧାରଣ ଲୋକମାନେ ବାଜପେୟୀଙ୍କ ଅସ୍ଥି ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିପାରିବେ । ଶୋଭାଯାତ୍ରା ପୁରୀରେ ପହଞ୍ଚିବା ପରେ ବାଜପେୟୀଙ୍କ ଅସ୍ଥିକୁ ସମୁଦ୍ରରେ ବିସର୍ଜନ କରାଯିବ । ଏଥିସହ ରାଜ୍ୟର ବିଭିନ୍ନ ନଦୀରେ ମଧ୍ୟ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅସ୍ଥି ବିସର୍ଜନ ହେବାର କାର୍ଯ୍ୟକ୍ରମ ରହିଛି ।