ଅସ୍ଥିକଳସ ମହୋଦଧିରେ ବିସର୍ଜିତ: ଆଜି ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା

ଭୁବନେଶ୍ୱର : ଦିବଂଗତ ଜନନେତା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମ ଆଜି ଅପରାହ୍ନରେ ପୁରୀ ମହୋଦଧିରେ ବିସର୍ଜନ କରାଯାଇଛି । ବେଦପାଠ ମଧ୍ୟରେ ନେତା, ସମର୍ଥକ, ଶୁଭେଛୁମାନେ ଚିତାଭସ୍ମ ମହୋଦଧିରେ ଭସାଇ ଥିଲେ । ଭୁବନେଶ୍ୱରରୁ ବିଜେପିର ସର୍ବମାନ୍ୟ ନେତା ଅଟଳ ବିହାରୀ ବାଜପେୟୀଙ୍କ ଚିତାଭସ୍ମକୁ ଶୋଭାଯାତ୍ରାରେ ପୁରୀ ଅଣାଯାଇଥିଲା । ଏହି ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ, ମନମୋହନ ସାମଲ, ରାଜ୍ୟ ସାଧାରଣ ସଂପାଦକ ଭ୍ରୁଗୁ ବକ୍ସିପାତ୍ର, ନେତ୍ରୀ ପ୍ରଭାତୀ ପରିଡ଼ା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ ।

ଭୁବନେଶ୍ୱରରୁ ପୁରୀ ମଧ୍ୟରେ ବିଭିନ୍ନ ସ୍ଥାନରେ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶେଷ ସମ୍ମାନ ପ୍ରଦର୍ଶନ ପାଇଁ ଏକାଠି ହୋଇଥିଲେ ଦଳୀୟ କର୍ମୀ ଓ ଶୁଭେଛୁମାନେ । ବିରାଟ ପଟୁଆରରେ ଚିତାଭସ୍ମ କଳସ ଅଠରନଳା ଠାରେ ପହଞ୍ଚିବା ପରେ ସେଠାରୁ ନେତାମାନେ ପଦଯାତ୍ରାରେ ଶ୍ରୀକ୍ଷେତ୍ର ପରିକ୍ରମା କରିଥିଲେ । ଏହି କଳସ ଶୋଭାଯାତ୍ରା ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱ ପରିକ୍ରମା କରିଥିଲା । ପରେ ଦୋଳମଣ୍ଡପ ସାହି ଦେଇ ଶୋଭାଯାତ୍ରା ଦିଗ ବାରେଣୀ ଖୁଣ୍ଟିଠାରେ ପହଞ୍ଚି ଥିଲା । ବାଟରେ ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ଏବଂ ଓକିଲ ସଂଘ ପକ୍ଷରୁ ଅସ୍ଥିକଳସ ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମହୋଦଧି କୂଳରେ ଜିଲ୍ଲାପାଳ ଜ୍ୟୋତି ପ୍ରକାଶ ଦାସ ଓ ଏସପି ଡା ସାର୍ଥକ ଷଡ଼ଙ୍ଗୀ ଚିତାଭସ୍ମ କଳସରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଆଜି ସ୍ୱର୍ଗତ ବାଜପେୟୀଙ୍କ ଅସ୍ଥିକଳସ ଶୋଭାଯାତ୍ରା ସକାଳ ସାଢ଼େ ୯ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରୁ ବାହାରି ପୁରୀ ଅଭିମୁଖେ ଯାଇଥିଲା ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀ ଯେବେ ପୁରୀ ଆସିଛନ୍ତି ପ୍ରର୍ଯ୍ୟାପ୍ତ ସମୟ ପୁରୀ ବେଳାଭୂମିରେ ବିତାଇଛନ୍ତି । ବିଧିର ବିଧାନ ଏପରି ଅଟଳଜୀଙ୍କ ମରଶରୀର ଅଂଶବିଶେଷ ସଂସ୍କାର ହେବାପରେ ଭାରତବର୍ଷର ଅନ୍ୟତମ ଧାମ ପୁରୀରେ ତାଙ୍କ ଅସ୍ଥି ବିସର୍ଜନ କରାଗଲା । ପୁରୀ ଭାରତବର୍ଷର ଶ୍ରେଷ୍ଠ ତୀର୍ଥକ୍ଷେତ୍ର । ଚାରିଧାମ ମଧ୍ୟରୁ ଅନ୍ୟତମ ପ୍ରମୁଖ ଧାମ ପୁରୀରେ ତାଙ୍କର ବିଧିକ୍ରିୟା ପୂର୍ଣ୍ଣ କରାଗଲା । ଅଟଳଜୀଙ୍କର ଓଡ଼ିଶା ସହିତ ବହୁ ସ୍ନେହଭାବ ଥିଲା । ଆଜି ତାଙ୍କର ଅସ୍ଥି କଳସ ଓଡ଼ିଶା ଆସିଛି । ମହାପ୍ରଭୁ ଜଗନ୍ନାଥ ଏପରି ସ୍ଥିତିରେ ତାଙ୍କ ପରିବାରବର୍ଗକୁ ଆଶୀର୍ବାଦ କରନ୍ତୁ । ପ୍ରଭୁ ଜଗନ୍ନାଥ ଅଟଳଜୀଙ୍କୁ ତାଙ୍କ ପାଖକୁ ନିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ସାଂସଦ ରଘୁନାଥ ମହାପାତ୍ର, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ବିଧାୟକ ଦଳ ନେତା କେ ଭି ସିଂହଦେଓ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରମୁଖ ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଅସ୍ଥି କଳସ ଦଳୀୟ କାର୍ଯ୍ୟାଳୟରୁ ବାହାରି ଭୂବନେଶ୍ୱରର ରାଜମହଲ ଛକ, ଧଉଳି ଛକ, ଉତ୍ତରା ଛକ, ପିପିଲି, ଦାଣ୍ଡମୁକୁନ୍ଦପୁର, ସାତଶଙ୍ଖ, ପଟ୍ଟନାୟକିଆ, ସାକ୍ଷୀଗୋପାଳ, ବୀରଗୋବିନ୍ଦପୁର, ବୀରପ୍ରତାପପୁର, ଚନ୍ଦନପୁର, ଅଠରନଳା, ସିଂହଦ୍ୱାର ଦେଇ ମହୋଦଧିରେ ବିସର୍ଜନ କରାଯାଇଛି । ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ସାର୍ବଜନୀନ ଓ ସର୍ବଦଳୀୟ ପ୍ରାର୍ଥନା ସଭା ଅନୁଷ୍ଠିତ ହେବ । ଏହି ପ୍ରାର୍ଥନା ସଭାରେ ସମସ୍ତ ଜନସାଧାରଣ, ବୁଦ୍ଧିଜୀବୀ, ସବୁ ଦଳର ନେତା ଓ କର୍ମୀମାନଙ୍କୁ ଉପସ୍ଥିତ ରହି ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାକୁ ଦଳ ତରଫରୁ ନିବେଦନ କରାଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ବୋଲି ବିଜେପି ତରଫରୁ କୁହାଯାଇଛି । ତେବେ ଆସନ୍ତାକାଲି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟମନ୍ତ୍ରୀ ଯୋଗଦେବେ ବିଜେଡି ସୂତ୍ରରୁ ବୋଲି ଜଣାଯାଇଛି ।