ରାଜ୍ୟରେ କମୁଛି କରୋନା ସଂକ୍ରମଣ : ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣହାର ୬୦ ପ୍ରତିଶତ

ଭୁବନେଶ୍ଵର  : ଗତ କିଛି ଦିନ ହେବ ରାଜ୍ୟରେ କରୋନା ସଂକ୍ରମଣରେ ହ୍ରାସ ଘଟିଛି। ଏହା ନିଶ୍ଚିତ ଭାବେ ରାଜ୍ୟ ସରକାର ଏବଂ ସାଧାରଣ ଜନତାଙ୍କ ପାଇଁ ଆଶ୍ଵସ୍ତିକର ବିଷୟ। ରାଜ୍ୟରେ ମେ ୨୨ ତାରିଖ କରୋନାର ପିକ୍ ସମୟ ଥିଲା। ଏବେ ସ୍ଥିତିରେ ସୁଧାର ଆସୁଛି। ସଂକ୍ରମଣ କମୁଥିବା ବେଳେ ସୁସ୍ଥହାର ବଢୁଥିବା କହିଛନ୍ତି ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।

ସେ କହିଛନ୍ତି, ମେ ୨୨ରେ ସର୍ବାଧିକ ୧୨,୮୫୨ ପଜିଟିଭ୍ ଚିହ୍ନଟ ହୋଇଥିଲେ। ଏହା ପରେ ବାତ୍ୟା ପାଇଁ ଟେଷ୍ଟ କମିବାରୁ ପଜିଟିଭ୍ ସଂଖ୍ୟା କମିଥିଲା। ମାତ୍ର ପରବର୍ତ୍ତୀ ପର୍ଯ୍ୟାୟରେ ଟେଷ୍ଟ ବଢିଥିଲେ ମଧ୍ୟ ସଂକ୍ରମଣହାର କମିଛି। ଆଜି ରାଜ୍ୟରେ ୯୫୪୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମେ ୨୨ ତାରିଖକୁ ଆମ ରାଜ୍ୟ ପାଇଁ ପିକ୍ ସମୟ ବୋଲି ଧରି ନିଆଯିବ। ଆମ ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ ସଂକ୍ରମଣ କମିବା ଆଶ୍ଵସ୍ତିକର ବିଷୟ। ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗରେ ସଂକ୍ରମଣ କରୁଥିଲେ ବି ବିପଦ ରହିଛି। ତେଣୁ ଏହି ଦୁଇ ରାଜ୍ୟ ସହ ଲାଗି ରହିଥିବା ସୀମାକୁ ସିଲ୍ କରାଯାଇଛି।

ବର୍ତ୍ତମାନ ରାଜ୍ୟର ୯ ଜିଲ୍ଲାରେ ସଂକ୍ରମଣହାର ୬୦ ପ୍ରତିଶତ ରହିଛି। ଏହି ଜିଲ୍ଲାଗୁଡିକ ହେଲେ ଖୋର୍ଦ୍ଧା,କଟକ, ଅନୁଗୋଳ, ସୁନ୍ଦରଗଡ, ପୁରୀ, ମୟୂରଭଞ୍ଜ, ବାଲେଶ୍ଵର, ବରଗଡ ଓ ଯାଜପୁର। ୧୯ ଜିଲ୍ଲାରେ ସଂକ୍ରମଣ ହାର କମୁଛି ଏବଂ ୫ ଜିଲ୍ଲାରେ ଏହା ୫ ପ୍ରତିଶତ ତଳେ ରହିଛି। ଆଗକୁ ୧୪ ଦିନରେ ସଂକ୍ରମଣ ଆହୁରି କମିବ ବୋଲି ଆଶା କରାଯାଉଛି ବୋଲି ଏସିଏସ କହିଛନ୍ତି।

ରାଜ୍ୟରେ ସଂକ୍ରମଣ ହ୍ରାସ ପାଇ ଆଜି ସୁଦ୍ଧା ୧୪ ପ୍ରତିଶତରେ ରହିଛି। ଧିରେ ଧିରେ ରାଜ୍ୟରେ କ୍ରିଟିକାଲ ରୋଗୀଙ୍କ ସଂଖ୍ୟା କମୁଛି। ଗୁରୁତର ରୋଗୀଙ୍କ ସଂଖ୍ୟା କମି କମି ଆଜି ୭୨ ପ୍ରତିଶତରେ ପହଞ୍ଚିଛି। ଅକ୍ସିଜେନ ଯୋଗାଣରେ ଆମ ରାଜ୍ୟ ଗୁରୁତ୍ଵପୂର୍ଣ୍ଣ ଭୂମିକା ନେଇଛି। ୧୮ ରାଜ୍ୟକୁ ଆମେ ୨୫ ହଜାର ଟନ ଅକ୍ସିଜେନ ଯୋଗାଇ ସାରିଛୁ ବୋଲି ଅତିରିକ୍ତ ମୁଖ୍ୟ ସଚିବ କହିଛନ୍ତି।

ଦେଶରେ ଅନ୍ୟ ରାଜ୍ୟ ତୂଳନାରେ ଓଡିଶାରେ ବ୍ଲାକ ଫଙ୍ଗସ୍‌ ନିୟନ୍ତ୍ରଣରେ ରହିଛି। ରାଜ୍ୟରେ ଏ ପର୍ଯ୍ୟନ୍ତ ୨୫ ବ୍ଲାକ ଫଙ୍ଗସ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କିନ୍ତୁ ଡାକ୍ତରଙ୍କ ଅନୁଯାୟୀ ୩ ଜଣଙ୍କ ମୃତ୍ୟୁ ବ୍ଲାକ ଫଙ୍ଗସ୍‌ରେ ନୁହେଁ ଅନ୍ୟ କାରଣ ପାଇଁ ହୋଇଛି । ସଂପ୍ରତି ଅନ୍ୟ ରାଜ୍ୟରେ ହଜାର ହଜାର ସଂଖ୍ୟାରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛି। ଓଡିଶାରେ ସେମିତି ସ୍ଥିତି ଉପୁଜି ନଥିବା କହିଛନ୍ତି ଏସିଏସ।

ଦେଶରେ କରୋନା ସ୍ଥିତି ନେଇ ଏସିଏସ କହିଛନ୍ତି, ଦୁଇ ସପ୍ତାହ ତଳେ ବିଶ୍ଵର ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ ୫୪ ପ୍ରତିଶତ ଆମ ଦେଶରେ ଥିଲେ। ବର୍ତ୍ତମାନ ଏହା ହ୍ରାସ ପାଇ ୩୪ ପ୍ରତିଶତରେ ପହଞ୍ଚିଛି। ମେ ୪ରେ ଦେଶରେ ୪ ଲକ୍ଷ ୧୪ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ତେଣୁ ମେ ୪ ତାରିଖ ଦେଶ ପାଇଁ ପିକ୍ ସମୟ ଥିଲା। ଗତ ବର୍ଷ ସେପ୍ଟେମ୍ବର ୧୬ରେ ସର୍ବାଧିକ ୯୭ ହଜାର ସଂକ୍ରମିତ ଚିହ୍ନଟ ହୋଇଥିଲେ। ଗତ ବର୍ଷ ସେପ୍ଟେମ୍ଵର ୨୬କୁ ପିକ୍ ବୋଲି ଧରାଯାଇଥିଲା। ପ୍ରଥମ ପିକ୍ ତୂଳନାରେ ଦ୍ଵିତୀୟ ପିକ୍‌ର ପ୍ରକୋପ ୪ ଗୁଣ ଅଧିକ ରହିଛି।