ଛାତ୍ରାବସ୍ଥାରୁ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତି ପ୍ରତି ମୋର ଆକର୍ଷଣ ଅଛି – ଧର୍ମେନ୍ଦ୍ର ପ୍ରଧାନ

ମହାନଦୀ ସାହିତ୍ୟ ଉତ୍ସବ ଓ ସମ୍ବଲପୁରୀ କବି ମହାସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ

ସମ୍ବଲପୁର(ବ୍ୟୁରୋ): ସମ୍ବଲପୁରୀ ଭାଷା, ସାହିତ୍ୟ, ସଂସ୍କୃତି, ଲୋକକଳା, ଲୋକପରମ୍ପରା, ଖାଦ୍ୟପେୟ ପ୍ରତି ମୋର ଛାତ୍ରାବସ୍ଥାରୁ ଆବେଗ ଓ ଆକର୍ଷଣ ଅଛି । ସମ୍ବଲପୁରୀ ସାହିତ୍ୟର ମୁଁ ଜଣେ ପାଠକ, ଅନୁଗତ ଓ ବିଶ୍ୱାସୀ ବୋଲି ରବିବାର ସମ୍ବଲପୁରରେ ‘ମହାନଦୀ ସାହିତ୍ୟ ଉତ୍ସବ’ ଏବଂ ‘ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମିଳନୀ’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସମ୍ବଲପୁର ଜିଲ୍ଲାର ଏକାଧିକ ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆୟୋଜିତ ମହାନଦୀ ସାହିତ୍ୟ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମ୍ବଲପୁରୀ ପୋଷାକ ପରିଧାନ କରି ସଂସଦ ଯିବା ମୋତେ ପସନ୍ଦ ଲାଗେ । ପ୍ରସିଦ୍ଧ ରଙ୍ଗବତୀ ଗୀତ ଓ ଲୋକପ୍ରିୟ ନୃତ୍ୟ ଡାଲଖାଇ ପ୍ରତି ମୋର ବିଶେଷ ଆକର୍ଷଣ ଅଛି । ସମ୍ବଲପୁର ଦଶହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ । ଏହି ମହାନଦୀ ଅବବାହିକା ପ୍ରାଚୀନ ମାନବ ସଭ୍ୟତାର ମୂଳସ୍ଥାନ ଥିଲା । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ରହିଛି । ଏଠାରେ ଥିବା ଗୁମ୍ଫାର ପ୍ରସ୍ତର ଗୁଡ଼ିକ ଉପରେ ଅନେକ ଚିତ୍ର ରହିଛି । ଏଗୁଡ଼ିକ ପ୍ରାୟ ୧୦ ହଜାର ବର୍ଷ ପୂର୍ବର ବୋଲି ଐତିହାସିକମାନେ କହନ୍ତି । କିନ୍ତୁ ଆନ୍ତରିକତା ଅଭାବରୁ ଆମେ ଆମ ସଭ୍ୟତାକୁ ଯେମିତି ବିଶ୍ୱ ଦରବାରରେ ପରିଚିତ କରିବା କଥା ତାହା କରିପାରିନୁ । ସମ୍ବଲପୁରୀ ଗୀତ, ସଂସ୍କୃତି, ଲୋକବାଦ୍ୟ, ଲୋକନୃତ୍ୟ ଓ ପରିଧାନ ଏବେ ବିଶ୍ୱର ଦୃଷ୍ଟି ଆକର୍ଷଣ କରି ଆସିଲାଣି । ତେବେ ଏହାର ପ୍ରଚାର ପ୍ରସାର ପାଇଁ ନିକଟ ଭବିଷ୍ୟତରେ ସମ୍ବଲପୁରରେ ଏକ ଆଧୁନିକ କେନ୍ଦ୍ର ସ୍ଥାପନ ହେବ । ଯାହା ମାଧ୍ୟମରେ ଏଠାକାର ଭାଷା,ସାହିତ୍ୟ, ସଂସ୍କୃତି, ନାଟକ ଓ ଖାଦ୍ୟପେୟର ମଧ୍ୟ ପ୍ରସାର ହେବ।

ଭାଷା ଆମର ପରିଚୟ । ଆଜି ଜାତୀୟ ଶିକ୍ଷା ନୀତିରେ ସମ୍ବଲପୁରୀ ଭାଷା ସମେତ ସବୁ ଭାରତୀୟ ଭାଷାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । କୌଣସି ଭାଷା ଆଂଚଳିକ ଭାଷା ନୁହେଁ । ସବୁ ଭାଷା ରାଷ୍ଟ୍ରୀୟ ଭାଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏନସିଇଆରଟି ପକ୍ଷରୁ ଆଞ୍ଚଳିକ ଭାଷାରେ ବହି ପ୍ରକାଶ କରାଯିବ । ଭାରତକୁ ପରାଧୀନ ରଖିବା ପାଇଁ ଟି.ବି.ମାକାଉଲେ ପ୍ରଚଳନ କରିଥିବା ଶିକ୍ଷା ପଦ୍ଧତିରୁ ବାହାରି ବର୍ତ୍ତମାନ ସମୟରେ ଆମ ମାତୃଭାଷା ଓ ସ୍ଥାନୀୟ ସଂସ୍କୃତିର ଅନ୍ତରାଷ୍ଟ୍ରୀୟ ସ୍ତରରେ ବହୁଳ ପ୍ରଚାର କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ସ୍ୱଭାବ କବି ଗଙ୍ଗାଧର ମେହେର, ସନ୍ଥକବି ଭୀମଭୋଇଙ୍କ ଓଡ଼ିଆ ଭାଷା ସାହିତ୍ୟକୁ ଅବଦାନ ଅତୁଳନୀୟ । ଏମାନଙ୍କ ସୃଷ୍ଟି ଥିଲା କାଳଜୟୀ । ଇଂରେଜ ଶାସନ ସମୟରେ ଭାଷାସାହିତ୍ୟକୁ ନଷ୍ଟ କରିବାକୁ ଉଦ୍ୟମ କରାଗଲା ଓ କିଛି ଜାଗାରେ ସଫଳ ମଧ୍ୟ ହେଲେ । କିନ୍ତୁ ଏବେ ସେ ସମୟ ବଦଳିଯାଇଛି । ଡାଲଖାଇ ନାଚ ବିଶ୍ୱସ୍ତରରେ ପହଞ୍ଚିଲାଣି । ପ୍ୟାରିସର ଆଇଫଲ ଟାୱାର ତଳେ ଶାଶ୍ୱତ ଯୋଶୀ ନୃତ୍ୟ କଲେଣି । ଦେଶବିଦେଶରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହେଉଛି । ସମ୍ବଲପୁର ଅଞ୍ଚଳ ସାମର୍ଥ୍ୟ, ଶକ୍ତି ଓ ଗଭୀରତାରେ ପରିପୂର୍ଣ୍ଣ । ସମ୍ବଲପୁରର ସାହିତ୍ୟ ସ୍ଥାନୀୟ ଜୀବନ ପଦ୍ଧତିକୁ ଆଗକୁ ନେବାର ଶିକ୍ଷା ଦେଇଥାଏ । ଏହାକୁ ଉପଯୋଗ କରି ମହାନଦୀ ସାହିତ୍ୟ ଉତ୍ସବକୁ ଆୟୋଜନ କରୁଥିବା ପ୍ରମୁଖ ସାରସ୍ୱତ ଅନୁଷ୍ଠାନର ମିଳିତ ସହଯୋଗରେ ଆମେମାନେ ଭୀମ ଭୋଇ କବିତା ମାଧ୍ୟମରେ ଦେଇଥିବା କ୍ରାନ୍ତିକାରୀ ବିଚାର ସହ ଓଡ଼ିଆ ଏବଂ ସମ୍ବଲପୁରୀ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆଗକୁ ନେବାକୁ ପଡ଼ିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ସେହିପରି ସମ୍ବଲପୁରରେ ମୋର୍ ଭାଷାର୍ ମହକ୍ ସମ୍ବଲପୁରୀ ପକ୍ଷରୁ ଆୟୋଜିତ ‘ରାଜ୍ୟସ୍ତରୀୟ ସମ୍ବଲପୁରୀ କବି ମହାସମ୍ମିଳନୀ’ରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାବକୁ ସରଳ ଢଙ୍ଗରେ ଉପସ୍ଥାପନ କରିବାର ନାଁ ହେଲା କବିତା । କଥାଟି ସଠିକ୍ ଢଙ୍ଗରେ ପରିପ୍ରକାଶ କରିପାରିଲେ ହିଁ ତାହା ବେଶ୍ ପ୍ରଭାବିତ କରିଥାଏ । ସେ ଦୃଷ୍ଟିରୁ ସମ୍ବଲପୁର ଭାଷା ଏବଂ ଦୃଷ୍ଟିଭଙ୍ଗୀ ହିଁ କବିତାର ରୂପ ଦିଏ । କବି ସମ୍ମିଳନୀରେ ବ୍ୟଙ୍ଗକବିମାନେ କୌତୁକ ଓ ବ୍ୟଙ୍ଗ ମାଧ୍ୟମରେ ପ୍ରକାଶିତ କରିଥିବା କବିତା ଗୁଡିକ ଖୁବ ରୋଚକ ଥିଲା କହି ଶ୍ରୀ ପ୍ରଧାନ ପ୍ରଶଂସା କରିଥିଲେ ।