ଜୁନ୍ ୧୮କୁ ଘୁଞ୍ଚିଲା ୟୁଜିସି-ନେଟ ପରୀକ୍ଷା

କେନ୍ଦ୍ରୀୟ ଲୋକସେବା ଆୟୋଗ ପ୍ରିଲିମ୍ସ ୨୦୨୪ ପରୀକ୍ଷା ନେଇ ବିକ୍ଷୋଭ ପ୍ରଦର୍ଶନ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ-ୟୁଜିସି ଅଧ୍ୟକ୍ଷ ଏମ୍ ଜଗଦେଶ କୁମାର ୟୁଜିସି ନେଟ୍ ପରୀକ୍ଷା ତାରିଖକୁ ଜୁନ୍ ୧୬ରୁ ଜୁନ୍ ୧୮କୁ ଘୁଞ୍ଚାଇ ଦିଆଯାଇଥିବା କହିଛନ୍ତି।

ପରୀକ୍ଷାର୍ଥୀଙ୍କ ଠାରୁ ମିଳିଥିବା ମତାମତକୁ ଦୃଷ୍ଟିରେ ରଖି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏବଂ ୟୁଜିସି, ୟୁଜିସି-ନେଟକୁ ଜୁନ୍ ୧୬ (ରବିବାର)ରୁ ୧୮ ଜୁନ୍ ୨୦୨୪ (ମଙ୍ଗଳବାର)କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏନଟିଏ ଗୋଟିଏ ଦିନରେ ସମଗ୍ର ଭାରତରେ ଓଏମଆର ମୋଡରେ ୟୁଜିସି-ନେଟ୍ ପରୀକ୍ଷା ଆୟୋଜନ କରିବ। ଏନଟିଏ ଖୁବଶୀଘ୍ର ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିବ ବୋଲି କୁମାର ସେ ଟ୍ୱିଟରରେ ଲେଖିଛନ୍ତି।

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)କୁ ଚିଠି ଲେଖି ୨୦୨୪ ଜୁନ୍ ୧୬ରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷାର ପ୍ରସ୍ତାବିତ ତାରିଖ ପରିବର୍ତ୍ତନ କରିବାକୁ ଅନୁରୋଧ କରିଥିଲା। ଏବିଭିପି ସେହି ତାରିଖରେ ୟୁପିଏସସି ପ୍ରିଲିମସ ପରୀକ୍ଷାର ଏକକାଳୀନ ଆୟୋଜନକୁ ନେଇ ଉଦବେଗ ପ୍ରକାଶ କରିବା ସହ ଏହା ଛାତ୍ରଛାତ୍ରୀଙ୍କ ପାଇଁ ସମ୍ଭାବ୍ୟ ଆହ୍ୱାନ ଉପରେ ଗୁରୁତ୍ୱାରୋପ କରିଥିଲା।

ୟୁଜିସି ନେଟ୍ ଜୁନ୍ ୨୦୨୪ ପରୀକ୍ଷା ତାରିଖ ଜୁନ୍ ୧୬, ୨୦୨୪ ବୋଲି ଏନଟିଏ ୨୦୨୪ ଏପ୍ରିଲ ୨୦ ତାରିଖରେ ଏକ ସାର୍ବଜନୀନ ବିଜ୍ଞପ୍ତିରେ ଘୋଷଣା କରିଥିଲା। ସେହିପରି ୟୁପିଏସସି ୨୦୨୪ ମାର୍ଚ୍ଚ ୧୯ ତାରିଖର ବିଜ୍ଞପ୍ତି ଅନୁଯାୟୀ ସିଭିଲ ସର୍ଭିସ (ପ୍ରିଲିମିନାରୀ) ପରୀକ୍ଷା, ୨୦୨୪କୁ ସେହି ତାରିଖରେ ସ୍ଥିର କରିଥିଲା।