ବିଦେଶକୁ ପଳାଇଲେ ନିତ୍ୟାନନ୍ଦ, ଖୋଜୁଛି ପୁଲିସ୍‌

ଅହମ୍ମଦାବାଦ: ଆତ୍ମଘୋଷିତ ବାବା ନିତ୍ୟାନନ୍ଦ ସମସ୍ତଙ୍କ ଅଜାଣତରେ ବିଦେଶ ପଳାଇଥିବାବେଳେ ଏହା ପରେ ତତ୍ପରତା ପ୍ରକାଶ କରିଛି ଗୁଜରାଟ ପୁଲିସ୍‌। ନିତ୍ୟାନନ୍ଦଙ୍କୁ ଖୋଜିବା ପାଇଁ ପୁଲିସ୍‌ ପକ୍ଷରୁ ବର୍ତ୍ତମାନ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯିବା ସହ ତଦନ୍ତକାରୀ ସଂସ୍ଥାଙ୍କର ମଧ୍ୟ ସହାୟତା ନିଆଯାଉଛି। ତାଙ୍କ ନାମରେ ନାବାଳକଙ୍କୁ ଅପହରଣ କରି ତାଙ୍କ ଦ୍ୱାରା ଆଶ୍ରମ ପାଇଁ ଚାନ୍ଦା ସଂଗ୍ରହ କରାଉଥିବା ଆଦି ଅନେକ ଅଭିଯୋଗ ରହିଥିଲା।

ଗୁଜରାଟ ପୁଲିସ୍‌ ଗୁରୁବାର ହିଁ କହିଥିଲା ନିତ୍ୟାନନ୍ଦ ବିଦେଶ ପଳାଇଛନ୍ତି, ପୁଲିସ୍‌ ତାଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ରେ ଲାଗିଛି। ଅହମ୍ମଦାବାଦ ଏସ୍‌ପି ଆରଭି ଅସାରୀ କହିଛନ୍ତି, “ଆମେ ନିତ୍ୟାନନ୍ଦଙ୍କ ବିରୋଧରେ ମାମଲା ରୁଜୁ କରିଛୁ। ତାଙ୍କର ଦୁଇ ଅନୁଗାମୀ ସାଧ୍ୱୀ ପ୍ରାଣ ପ୍ରିୟାନନ୍ଦ ଏବଂ ପ୍ରିୟତତ୍ତ୍ୱ ରିଦ୍ଧି କିରଣଙ୍କୁ ଗିରଫ କରିଛୁ। ସେମାନଙ୍କ ନାମରେ ୪ ଜଣ ପିଲାଙ୍କୁ ଅପହରଣ ସହ ଶିଶୁ ଶ୍ରମିକ ଭାବେ ଚାନ୍ଦା ଆଦାୟ ଭଳି କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ରହିଛି।”

ତେବେ ବର୍ତ୍ତମାନ ନିତ୍ୟାନନ୍ଦ କୋଉଠି ପଚରାଯିବାରୁ ଅସାରୀ କହିଛନ୍ତି, ଆମେ ବର୍ତ୍ତମାନ ବିଭିନ୍ନ ତଦନ୍ତକାରୀ ସଂସ୍ଥାଙ୍କ ସହାୟତା ନେଇ ତାଙ୍କୁ ଖୋଜିବା ଆରମ୍ଭ କରିଛୁ। ଏପରିକି ଅନ୍ୟ ଦେଶର ସଂସ୍ଥାଙ୍କ ସହଯୋଗ ପାଇଁ ଆମେ ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗରେ ଅଛୁ।

ଏକ ଫ୍ଲାଟ୍‌ରୁ ଉଦ୍ଧାର କରାଯିବା ପରେ ୪ ଜଣ ପିଲାଙ୍କ ବୟାନ ରେକର୍ଡ କରାଯାଇଛି। ଏହା ପରେ ନିତ୍ୟାନନ୍ଦଙ୍କ ନାମରେ ମାମଲା ରୁଜୁ କରାଯାଇଛି।