ଡିସେମ୍ୱର ୧ ପର୍ଯ୍ୟନ୍ତ ମାଗଣାରେ ମିଳିବ ଫାସଟ୍ୟାଗ

ନୂଆଦିଲ୍ଲୀ: ଦେଶର ସମସ୍ତ ଟୋଲ ଡିସେମ୍ୱର ୧ ତାରିଖରୁ କ୍ୟାସଲେସ ହେବାକୁ ଯାଉଛି । ବିନା ଫାସଟ୍ୟାଗରେ କେହି ମଧ୍ୟ ଟୋଲ ଗେଟ ପାର କରି ପାରିବେନି । ଏପରିସ୍ଥିତିରେ ଯଦି ଆପଣମାନେ ଫାସଟ୍ୟାଗ କିଣି ନାହାନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ଫାସଟ୍ୟାଗକୁ ପ୍ରତ୍ସୋହିତ କରିବା ପାଇଁ କେନ୍ଦ୍ର ସରକାର ଡିସେମ୍ୱର ୧ ତାରିଖ ପର୍ଯ୍ୟନ୍ତ ମାଗଣାରେ ଏହାକୁ ଯୋଗାଇବାକୁ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଆସନ୍ତା ଡିସେମ୍ୱର ୧ରୁ ସାରା ଦେଶର ରାଷ୍ଟ୍ରୀୟ ରାଜମାର୍ଗରେ ଥିବା ଟୋଲ ପ୍ଲାଜାରେ ନଗଦରେ ଟୋଲ ଦେବାର ସୁବିଧାକୁ ଶେଷ କରାଯିବ । ଏହାପରେ ସେଠାରେ କେବଳ ଫାସଟ୍ୟାଗ ଦ୍ୱାରା ହିଁ ଟୋଲ ଦେଇ ପାରିବେ ।

ଏଥିପାଇଁ ଏନଏଚଏଆଇ ତରଫରୁ ସମସ୍ତ ପ୍ରସ୍ତୁତି ଶେଷ କରାଯାଇଛି । ବର୍ତ୍ତମାନ ସମୟରେ ଏନଏଚଏଆଇର ନେଟୱାର୍କରେ ସମୁଦାୟ ୫୩୭ ଟୋଲ ପ୍ଲାଜା ରହିଛି । ଏଥିରୁ ୧୭ଟିକୁ ବାଦ ଦେଲେ ଅନ୍ୟ ସମସ୍ତ ଟୋଲ ପ୍ଲାଜାରେ ଆଗାମୀ ନଭେମ୍ୱର ୩୦ ସୁଦ୍ଧା ଫାସଟ୍ୟାଗ କ୍ଷମ କରାଯିବ । ବଳକା ଥିବା ଟୋଲ ପ୍ଲାଜା ନିକଟରେ ନିର୍ମିତ ହୋଇଥିଲା ତେଣୁ କରି ଏହି ସବୁଠାରେ ଇଲେକ୍ଟ୍ରିକ ଭାବେ ଟୋଲ ଆଦୟର ସୁବିଧା ଉପଲବ୍ଧ ନଥିଲା ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ବର୍ତ୍ତମାନ ସମୟରେ ଫାସଟ୍ୟାଗ ବିକ୍ରି ସମୟରେ ୧୫୦ ଟଙ୍କାର ସିକ୍ୟୁରିଟି ଡିପୋଜିଟ ନିଆଯାଉଛି । କିନ୍ତୁ ଏହାକୁ ଅଧିକ ପ୍ରତ୍ସାହିତ କରିବା ପାଇଁ ଏନଏଚଏଆଇ ଏହାକୁ ନିଶୁଳ୍କ ଭାବେ ପ୍ରଦାନ କରିବ । ଅର୍ଥାତ ଏବେ ଏହାକୁ ନେଉଥିବା ଲୋକଙ୍କୁ ୧୫୦ ଟଙ୍କା ଦେବାକୁ ପଡିବନି । ଯଦି ବ୍ୟାଙ୍କରୁ ଏହାକୁ କିଣନ୍ତି ତେବେ ଗ୍ରାହକଙ୍କୁ ପୁରା ଶୁଳ୍କ ଦେବାକୁ ପଡିବ ।

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଆଗାମୀ ମାସରୁ ସେହି ବାହାନ ମାଲିକଙ୍କୁ ଇଲେକ୍ଟ୍ରୋନିକ ଟୋଲ ଲେନର ପ୍ରବେଶ କରିବାରେ ଦୁଇ ଥର ଟୋଲ ଦେବାକୁ ପଡିବ, ଯେଉଁମାନଙ୍କ ଗାଡିରେ ଫାସଟ୍ୟାଗ ନଥିବ ।