ଧୋନିଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ

ଗାଏନା: ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଛକା ମାରି ଟିମ୍ ଇଣ୍ଡିଆକୁ ଜିତାଇଥିବା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ଏକ ନୂଆ ମାଇଲଖୁଣ୍ଟ ନିଜ ନାମରେ କରିଛନ୍ତି। ୪୨ ବଲରେ ୬୫ ରନର ଇନିଂସ୍ ଖେଳିଥିବା ପନ୍ତ ଭାରତର ପ୍ରଥମ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଏହି ଛୋଟିଆ ଫର୍ମାଟରେ ସର୍ବାଧିକ ବ୍ୟକ୍ତିଗତ ରନ୍ କରିଛନ୍ତି। ଏହି ମାମଲାରେ ସେ ମହେନ୍ଦ୍ର ସିଂହ ଧୋନିଙ୍କୁ ପଛରେ ପକାଇ ଦେଇଛନ୍ତି।

ଧୋନି ୨୦୧୭ରେ ବେଙ୍ଗାଲୁରୁରେ ଇଂଲଣ୍ଡ ବିପକ୍ଷ ଟି-୨୦ ମ୍ୟାଚରେ ୫୬ ରନର ଇନିଂସ୍ ଖେଳିଥିଲେ। ଏହାଛଡ଼ା ଧୋନି ସେଞ୍ଚୁରିଅନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୨ ରନ୍ କରିଥିଲେ। ତେବେ ଧୋନିଙ୍କ ଏହି ଦୁଇଟି ରେକର୍ଡକୁ ଏବେ ପନ୍ତ ଭାଙ୍ଗି ଦେଇଛନ୍ତି। ପନ୍ତ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ତିନୋଟି ଯାକ ଫର୍ମାଟରେ ଭାରତର ପ୍ରତିନିଧିତ୍ୱ କରିବେ। ମଙ୍ଗଳବାର ଗାଏନାରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ୧୪୭ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ଭାରତର ଆରମ୍ଭ ଖରାପ ରହିଥିଲା। ଦୁଇ ଓପ୍ନର ଶିଖର ଧୱନ୍ (୩) ଓ ଲୋକେଶ ରାହୁଲ୍ (୨୦) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ତେବେ କ୍ୟାପଟେନ୍ ବିରାଟ୍ କୋହଲି ଏହି ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନଙ୍କ ସହ ମିଶି ୧୦୬ ରନର ଭାଗୀଦାରୀ କରିଥିଲେ।

ବିରାଟ୍ ୪୫ ବଲରେ ୬ ଚୌକା ସହ ୫୯ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ପନ୍ତ ମନିଷ ପାଣ୍ଡେ (୨)ଙ୍କ ମିଶି ଭାରତକୁ ୧୯.୧ ଓଭରରେ ବିଜୟୀ କରାଇଥିଲେ। ପନ୍ତ ନିଜର ବିସ୍ଫୋରକ ଇନିଂସରେ ୪ ଚୌକା ଓ ୪ ଛକା ମାରିଥିଲେ।