୨୧ ତୋପ ସଲାମୀ ସହ ସୁଷମାଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଶୋକାକୁଳ ପରିବେଶ ମଧ୍ୟରେ ଦିଲ୍ଲୀର ଲୋଧି ରୋଡ୍‌ ଶ୍ମସାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ୨୧ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷ କୃତ୍ୟ କରାଯାଇଛି। ସୁଷମାଙ୍କ ଝିଅ ବାଂଶୁରୀ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି କରିଥିଲେ।

ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀ ମାନେ ଉପସ୍ଥିତ ଥିଲେ। ବିଦେଶୀ ନେତା ଭାବେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ଟୁବ୍‌ଗେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।

ଆଜି ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର ରଖାଯାଇଥିଲା। ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାନ୍ଧରେ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ଏହି ସମୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପୀୟୂଷ ଗୋଏଲ ମଧ୍ୟ ସୁଷମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଲଗାଇଥିଲେ।