କଟକ : କଟକ ସହରକୁ ସ୍ୱଚ୍ଛ ରଖିବା ପାଇଁ ଏକ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ଳାଣ୍ଟ ନିର୍ମାଣ କରାଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଭୂତଳ ସ୍ୱେରେଜ ଲାଇନ ଦ୍ୱାରା କଟକ ସହରର ପ୍ରାୟ ୬୦ ପ୍ରତିଶତ ଜନସଧାରଣ ଉପକୃତ ହୋଇପାରିବେ । ଏଥିସହିତ ସ୍ଥାନୀୟ ମତଗଜପୁର ଠାରେ ନିର୍ମାଣାଧୀନ ବିଶୋଧନାଗାରର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ôଚଛି । ଆଉ କିଛି ମାସ ମଧ୍ୟରେ ତାହା ଲୋକାର୍ପିତ ହେବା ସହ ସମ୍ପୂର୍ଣ୍ଣ ସହରବାସୀ ଏହି ସେବା ପାଇପାରିବେ ।
ମହାନଦୀ ଓ କାଠଯୋଡ଼ି ରିଂ ରୋଡର ମଧ୍ୟବର୍ତ୍ତୀ ଅଞ୍ଚଳରେ ବିଡ଼ାନାସୀଠାରୁ ମଙ୍ଗଳାବାଗ, ଫ୍ରେଣ୍ଡ୍ସ କଲୋନୀ, ଝୋଲା ସାହି, ବଙ୍ଗାଳୀ ସାହି ଓ ପୁରୀଘାଟ ଅଞ୍ଚଳର ଜନସାଧାରଣ ଏହି ପ୍ରକଳ୍ପର ସୁବିଧା ପାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ଏଥିସହ ପୁଲିସ କଲୋନୀଠାରେ ଘଣ୍ଟାକୁ କୁ ୭୨ଲକ୍ଷ ଲିଟର ଜଳ ନିଷ୍କାସନ ହେବା ଭଳି ଉଚ୍ଚକ୍ଷମତା ସମ୍ପନ୍ନ ଡ୍ରେନେଜ ପମ୍ପିଂ ଷ୍ଟେସନକୁ ମଧ୍ୟ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନ ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଦ୍ୱାରା ୧୧୦କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ବିଶୋଧନାଗାରରେ ଦୈନିକ ୩ କୋଟି ୬୦ଲକ୍ଷ ଲିଟର ବର୍ଜ୍ୟଜଳ ବିଶୋଧନ ହୋଇପାରିବ । ଏଥି ସହିତ ସହରରେ ୨୭୫ କିମିରୁ ଅଧିକ ଦୈର୍ଘ୍ୟର ସ୍ୱେରେଜ ପାଇପ ଲାଇନ କାର୍ଯ୍ୟ ଶେଷ ହୋଇଛି ।
ଏତଦ୍ବ୍ୟତୀତ ପ୍ରାୟ ୩ ହଜାର କୋଟି ଟଙ୍କା ବ୍ୟୟରେ ମତ୍ତଗଜପୁରଠାରେ ନିର୍ମାଣାଧୀନ ବିଶୋଧନାଗାର ଆଉ କିଛି ମାସ ମଧ୍ୟରେ ଲୋକାର୍ପିତ କରାଯିବ । ଏହାପରେ କଟକ ସହରରେ ସ୍ୱେରେଜ ଓ ଡ୍ରେନେଜ ବ୍ୟବସ୍ଥାର ସୁଧାର ଆସିବ । ଆସନ୍ତା ୩୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୧ ଲକ୍ଷ କଟକବାସୀଙ୍କର କଷ୍ଟ ଦୂର ହୋଇ ପାରିବ ବୋଲି ସେ କହିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଯେ ଏବେ ଗୃହରୁ ନିର୍ଗତ ବର୍ଜ୍ୟଜଳ ନାଳ ଦ୍ୱାରା ଯାଇ ମହାନଦୀ ଏବଂ କାଠଯୋଡ଼ିରେ ମିଶୁଛି । ଏହା ନଦୀ ଜଳକୁ ପ୍ରଦୂଷିତ କରୁଛି । ଏହି ଦୂଷିତ ଜଳ ଅନେକ ସମୟରେ ସହର ମଧ୍ୟରେ ଜମିରହି ପରିବେଶକୁ ନଷ୍ଟ କରୁଛି । ଫଳରେ ରାସ୍ତାଘାଟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । ଏଣୁ ଏହି ପ୍ରକଳ୍ପ ଦ୍ୱାରା ଘରୁ ବାହାରୁଥିବା ଦୂଷିତ ଜଳକୁ ଭୂତଳ ସ୍ୱେରେଜ ପାଇପ ମାଧ୍ୟମରେ ସଂଗ୍ରହ କରି ଅତ୍ୟାଧୁନିକ ପଦ୍ଧତିରେ ବିଶୋଧନ କରି ନଦୀରେ ଛଡ଼ାଯିବ ।
କଟକ ସହର ପରିମଳର ରୂପରେଖ ସମ୍ପୂର୍ଣ୍ଣ ବଦଳି ଯିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ୧୦ଟି ଓମଫେଡ୍ ଡାଇରୀ ଏକ୍ସପ୍ରେସ ମଧ୍ୟ ଉଦ୍ଘାଟିତ ହୋଇଥିଲା । ସମ୍ମାନିତ ଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କଟକ ସହରକୁ ଏକ ସୁସ୍ଥ ଓ ସୁନ୍ଦର ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟିତ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱାସ୍ଥ୍ୟକ୍ଷେତ୍ରରେ ଉନ୍ନତି ଆଣିବ ପାଇଁ ପରିମଳ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ନଦୀରେ ଦୂଷିତ ଜଳ ଛାଡ଼ିବା ଦ୍ୱାରା ରାଜ୍ୟର ଅନ୍ୟଲୋକଙ୍କ ସ୍ୱାସ୍ଥ୍ୟହାନି ହେଉଛି । ଏହାକୁ ରୋକିବା ପାଇଁ ସ୍ୱେରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ପ୍ରତିଷ୍ଠାର ଆବଶ୍ୟକତା ଥିଲା । ଅନ୍ୟତମ ସମ୍ମାନିତ ଅତିଥି ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ, ଚୌଦ୍ୱାର କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପ୍ରମୁଖ ତାଙ୍କ ଅଭିଭାଷଣରେ ଏଭଳି ଜନହିତକର କାର୍ଯ୍ୟ କୌଣସି ରାଜନୈତିକ ଦଳର ନୁହେଁ, ବରଂ ସହରବାସୀଙ୍କ ପାଇଁ ଏହା ଉଦ୍ଦିଷ୍ଟ ବୋଲି କହିଥିଲେ ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଅଧୀନ ଇକୋନୋମିକ୍ସ ଆଫେୟାର୍ସ ବିଭାଗ ଅତିରିକ୍ତ ସଚିବ ସି ଏସ ମହାପାତ୍ର, ଜାଇକା ଭାରତ ପ୍ରତିନିଧି କତ୍ସୁଓ ମତସୁମୋଟୋ, ସିଏମସି ମେୟର ମୀନାକ୍ଷୀ ବେହେରା ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମର ସୁଫଳ ସମ୍ପର୍କରେ ଆଲୋକପାତ କରିଥିଲେ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥନନ ସ୍ୱାଗତ ଭାଷଣ ଦେଇଥିଲେ । ଓଡ଼ିଶା ଜଳ ଯୋଗାଣ ଓ ପରିମଳ ପରିଷଦ ଜାଇକା ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଟି ବି କେ ସରାଫ ଧନ୍ୟବାଦ ଦେଇଥିଲେ ।