ଦାଶରଥି ଦାସଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର

ଭୁବନେଶ୍ୱର : ଚଳିତ ୨୦୧୮ ବର୍ଷ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଘୋଷଣା କରାଯାଇଛି । ଓଡ଼ିଆ ସାହିତ୍ୟର ବିଶିଷ୍ଟ ଗବେଷକ ତଥା ପ୍ରାବନ୍ଧିକ ପ୍ରଫେସର୍ ଡ. ଦାଶରଥି ଦାସ ତାଙ୍କର ‘ପ୍ରସଙ୍ଗ ପୁରୁଣା ଭାବନା ନୂଆ’ ପୁସ୍ତକ ପାଇଁ ଏହି ପୁରସ୍କାର ପାଇବେ । ଓଡ଼ିଆ ସାହିତ୍ୟର ୪ ଜଣ ଓଡ଼ିଆଙ୍କୁ ସମ୍ମାନ ଜନକ ପୁରସ୍କାର ପାଇଁ ମନୋନୀତ କରାଯାଇଛି । ‘ସାହିତ୍ୟ ଅକାଦେମି ଭାଷା ସମ୍ମାନ’ ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଗବେଷକ ପ୍ରଫେସର୍ ଡ. ଗଗନେନ୍ଦ୍ର ଦାଶଙ୍କୁ ଚୟନ କରାଯାଇଛି ।

ସେହିପରି ବିଶିଷ୍ଟ ଭାଷାବିତ୍ ଡ. ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ ‘କୋଶଳି -ସମ୍ବଲପୁରୀ ଭାଷା’ ସମ୍ମାନରେ ସମ୍ମାନିତ ହେବେ । ଏହି ୪ ଜଣ ଓଡ଼ିଆ ସାହିତ୍ୟିକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଡ. ଦାସ ବିଶେଷ କରି ଓଡ଼ିଆ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବେ ଜଣାଶୁଣା । ସାହିତ୍ୟର ବିଭିନ୍ନ ଦିଗ ଓ ବିଷୟ ଉପରେ ଗବେଷଣାତ୍ମକ ପ୍ରବନ୍ଧମାନ ଲେଖି ସେ ଓଡ଼ିଆ ପାଠକମାନଙ୍କ ପାଖରେ ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ଦିନ ଧରି ସେ ଅଧ୍ୟାପନା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କର ଲୋକପ୍ରିୟ ପୁସ୍ତକଗୁଡ଼ିକ ମଧ୍ୟରେ ‘କବିସୂର୍ଯ୍ୟ କାବ୍ୟବିଭା’, ‘ମୃତ୍ୟୁଲୋକରେ ଋତୁ ସପ୍ତମ’, ‘କାବ୍ୟ ସମ୍ବାଦ’, ‘ଓଡ଼ିଆ ସାହିତ୍ୟ ଚିନ୍ତା’, ‘ଐତିହ୍ୟ ଓ ଆଧୁନିକତା’, ‘ବିଦଗ୍ଧ ମାନସ’, ‘ବିବିଧ ପ୍ରସ୍ତାବ’, ‘ସାହିତ୍ୟ ବିବେକ’, ‘ଆଧୁନିକ କାବ୍ୟଜିଜ୍ଞାସାଚିତ୍ରକଳ୍ପ’ ଇତ୍ୟାଦ ରହିଛି । ପୁରସ୍କାର ସ୍ୱରୂପ ପ୍ରଫେସର୍ ଦାସ ଏକ ଲକ୍ଷ ଟଙ୍କା, ମାନପତ୍ର ଓ ସ୍ମୃତି ଫଳକ ପାଇବେ ।
ଆସନ୍ତା ଜାନୁଆରୀ ୨୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ସାହିତ୍ୟ ଅକାଦେମିର ସ୍ୱତନ୍ତ୍ର ଉତ୍ସବରେ ଏହି ପ୍ରତିଭାମାନଙ୍କୁ ସମ୍ମାନିତ କରାଯିବ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଭାଷା କ୍ଷେତ୍ରରେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ପ୍ରଦାନ କରାଯାଉଛି । ଏଥିରେ କୋଶଲୀ ସାହିତ୍ୟକ୍ଷେତ୍ରରେ ମଧ୍ୟ ଭାଷା ପୁରସ୍କାର ଘୋଷଣା କରାଯାଇଛି । ଯାହାକି ଓଡ଼ିଶା ତଥା କୋଶଲୀ ସାହିତ୍ୟରେ ଲେଖାଲେଖି କରୁଥିବା ଓ ଗବେଷଣା କରୁଥିବା ଲେଖକଙ୍କ ପାଇଁ ଏକ ସୁଖବର । ‘ସାହିତ୍ୟ ଅକାଦେମି ଭାଷା ସମ୍ମାନ’ ପାଇଁ ବିଶିଷ୍ଟ ଭାଷାବିତ୍ ତଥା ଗବେଷକ ପ୍ରଫେସର୍ ଡ. ଗଗନେନ୍ଦ୍ର ଦାଶଙ୍କୁ ଚୟନ କରାଯାଇଛି । ପୁରସ୍କାର ସ୍ୱରୂପ ପ୍ରଫେସର୍ ଦାଶ ଏକ ଲକ୍ଷ ଟଙ୍କା ଅର୍ଥରାଶି, ମାନପତ୍ର ଓ ସ୍ମୃତି ଫଳକ ପାଇବେ । ବିଶିଷ୍ଟ ଭାଷାବିତ୍ ପ୍ରଫୁଲ୍ଲ ତ୍ରିପାଠୀ ଓ ହଳଧର ନାଗ ‘କୋଶଳି -ସମ୍ବଲପୁରୀ ଭାଷା’ ସମ୍ମାନରେ ସମ୍ମାନିତ ହେବେ ।

ପୁରସ୍କାର ସ୍ୱରୂପ ଉଭୟ ଶ୍ରୀ ତ୍ରିପାଠୀ ଓ ଶ୍ରୀ ନାଗ ୫୦ହଜାର ଟଙ୍କା ଲେଖାଏଁ ଅର୍ଥରାଶି, ମାନପତ୍ର ଓ ସ୍ମୃତି ଫଳକ ପାଇବେ । ଅଣ ସ୍ୱୀକୃତି ଭାଷା ବର୍ଗର କବି ଶ୍ରୀ ନାଗ ଏବଂ ଡ. ତ୍ରିପାଠୀ ଏହି ସମ୍ମାନ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସଚିବ ଡ. କେ. ଶ୍ରୀନିବାସଙ୍କ ପକ୍ଷରୁ ଆଜି ଜାରି କରାଯାଇଥିବା ପ୍ରେସ୍ ବିବୃତ୍ତିରେ ଉଲ୍ଲେଖ କରାଯାଇଛି । ଶ୍ରୀ ନାଗ ଓ ଡ. ତ୍ରିପାଠୀଙ୍କୁ ଭାଷା ସମ୍ମାନ ପ୍ରଦାନ କରି କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପ୍ରଥମ ଥର ପାଇଁ ସମ୍ବଲପୁରୀ/କୋଶଲି ଭାଷାକୁ ସ୍ୱୀକୃତି ପ୍ରଦାନ କରିଥିବାରୁ ସମଗ୍ର ପଶ୍ଚିମଓଡ଼ିଶାରେ ଆନନ୍ଦ ପ୍ରକାଶ ପାଇଛି । ଏଠାରେ ଉଲ୍ଲେଖ ଥାଉ କି, ବରଗଡ଼ ଜିଲ୍ଲାର ଘେଁସ୍ରେ ଜନ୍ମିତ କବି ଶ୍ରୀ ନାଗ୍ ପୂର୍ବରୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନ ଲାଭ କରିଥିବା ବେଳେ ଓଡ଼ିଶା ସରକାର ତାଙ୍କ ନାମରେ ଏକ ଭାଷା ପ୍ରତିଷ୍ଠାନ ଘୋଷଣା କରିଛନ୍ତି ।
କବିଙ୍କ ରଚିତ ‘ମହାସତୀ ଉର୍ମିଲା’, ଅଛିଆଁ, ତାରା ମନ୍ଦୋଦରୀ, ବଛର, ଶ୍ରୀ ସମଲାଇ, ବୀର ସୁନ୍ଦର ସାଏ, କରମ୍ସାନୀ ପ୍ରଭୃତି କାବ୍ୟକୃତି କେବଳ ପଶ୍ଚିମଓଡ଼ିଶା ନୁହଁ ସମଗ୍ର ଓଡ଼ିଶାରେ ଆଦୃତ ହୋଇପାରିଛି । ସେହିପରି ବରଗଡ଼ ଜିଲ୍ଲାର ଦେଶଭଟଲିର ମୂଳ ବାସିନ୍ଦା ତଥା ସମ୍ବଲପୁରର ଅଧିବାସୀ ଡ. ତ୍ରିପାଠୀ ଉଭୟ ସମ୍ବଲପୁରୀ/କୋଶଲୀ ଏବଂ ଓଡ଼ିଆ ଭାଷାର ଜଣେ ଜଣାଶୁଣା କବି ହେବା ସହ ଭାଷା ତତ୍ତ୍ୱବିତ୍ ଭାବେ ତାଙ୍କ ସୁନାମ ରହିଛି ।

ତାଙ୍କ ଦ୍ୱାରା ରଚିତ ସମ୍ବଲପୁରୀ ଶବ୍ଦକୋଷ ସମ୍ବଲପୁରୀ/କୋଶଲୀ ଭାଷାକୁ ବ୍ୟାକରଣ ଦୃଷ୍ଟିରୁ ସମୃଦ୍ଧ କରିପାରିଛି । ଏହା ସହିତ ସେ ସମ୍ବଲପୁରୀ/ଓଡ଼ିଆ ଶବ୍ଦକୋଷ, ସମ୍ବଲପୁରୀ/ଓଡ଼ିଆ ବ୍ୟାକରଣ, ବର୍ଣ୍ଣ ବିଧାନ ଏବଂ ଭାଷା ଜିଜ୍ଞାସା ପ୍ରଭୃତି ଭାଷାତତ୍ତ୍ୱ ପୁସ୍ତକ ରଚନା କରିଛନ୍ତି । ପୂର୍ବରୁ ସେ ଓଡ଼ିଆ କ୍ଷୁଦ୍ର ଗଳ୍ପ ‘ନିଜ ସିଂହାସନ’ ପାଇଁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି । ସୂଚନାଯୋଗ୍ୟ, ସମ୍ବଲପୁରୀ/କୋଶଲି ଭାଷାକୁ ସାମ୍ବିଧାନିକ ମାନ୍ୟତା ପ୍ରଦାନ କରିବା ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟର ଅନ୍ୟତମ ସରକାରୀ ଭାଷା ଭାବରେ ଘୋଷଣା କରିବା ପାଇଁ ରାଜ୍ୟ ସରକାରଙ୍କୁ ଦାବି କରି ଆନ୍ଦୋଳନ ଚାଲିଛି । ଭାଷାର ଅଭିବୃଦ୍ଧିକୁ ଉପଲବ୍ଧି କରି କେନ୍ଦ୍ର ସରକାର ଲୋକକବି ହଲଧର ନାଗଙ୍କୁ ପୁର୍ବରୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଛନ୍ତି । ଏହାପରେ କବିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଅବସରରେ ରାଜ୍ୟ ସରକାର ହଲଧର ନାଗଙ୍କ ନାମରେ ଗବେଷଣା କେନ୍ଦ୍ର ପାଇଁ ଘୋଷଣା କରିଛନ୍ତି । ଏଭଳି ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ କୋଶଲି/ସମ୍ବଲପୁରୀ ଭାଷାର ଦୁଇ ବରପୁତ୍ର ଲୋକକବିରତ୍ନ ହଲଧର ନାଗ ଓ ଭାଷା ଗବେଷକ ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ଭାଷା ସମ୍ମାନ ଦେଇଥିବାରୁ ଏହା ଭାଷା, ସାହିତ୍ୟପ୍ରତି ଉପଯୁକ୍ତ ମର୍ଯ୍ୟାଦା ପ୍ରଦାନ କରାଯାଇଛି ବୋଲି ଅଭିମନ୍ୟୁ ସାହିତ୍ୟ ସଂସଦର ସଭାପତି ଅଶୋକ ପୁଜାହାରୀ ଏବଂ ସଂପାଦକ ଅଧ୍ୟାପକ ସୁଶାନ୍ତ ମିଶ୍ର କହିଛନ୍ତି ।

ସମଗ୍ର ଭାରତ ବର୍ଷରେ ପଦ୍ମଶ୍ରୀ ଲୋକକବି ରତ୍ନ ହଲଧର ନାଗ ଏକ ନିଆରା ଚରିତ୍ର । ଜୀବନଚର୍ଯ୍ୟା, ବେଶ ପୋଷାକ ଠାରୁ ସାହିତ୍ୟ ସୃଜନ, କବିତା ଆବୃତି ଯାଏ ସବୁଠି ତାଙ୍କ ସ୍ୱାତନ୍ତ୍ର‌୍ୟ ରହିଛି । ସେହିପରି ଡ.ପ୍ରଫୁଲ୍ଲ କୁମାର ତ୍ରିପାଠୀ ଆମ ଭାଷା ସାହିତ୍ୟ ପାଇଁ ବ୍ୟାକରଣ, ଆଲୋଚନା, ସମାଲୋଚନା ସମେତ ଯେଊଁ କୃତୀ ସୃଜନ କରୁଛନ୍ତି, ତାହା ଇତିହାସ ପୃଷ୍ଠାରେ କାଳଜୟୀ ରହିବ । ତେଣୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଉଭୟ ବରପୁତ୍ରଙ୍କୁ ଏଭଲି ସମ୍ମାନ ଦେଇଥିବାରୁ ସର୍ବତ୍ର ଖୁସିର ପରିବେଶ ସୃଷ୍ଟି ହୋଇଛି ।