ବାହୁଡିଲେ ଜଗାବଳିଆ

ପୁରୀ : ଜନ୍ମବେଦି ଛାଡ଼ି ଆଜି ରତ୍ନବେଦି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଧାର୍ଯ୍ୟ ସମୟଠାରୁ ପାଖାପାଖି ୩ ଘଣ୍ଟା ପୂର୍ବରୁ ପୁରୀରେ ଟଣା ହୋଇଛି ରଥ। ନିୟମ ଅନୁଯାୟୀ ପ୍ରଥମେ ମହାପ୍ରଭୁ ଶ୍ରୀବଳଭଦ୍ର, ପରେ ଦେବୀ ସୁଭଦ୍ରା ଓ ମହାଭ୍ରପୁ ଜଗନ୍ନାଥଙ୍କ ରଥ ଟଣା ହୋଇଥିଲା।

ଘୋଷଯାତ୍ରା ଦିନ ଧାର୍ଯ୍ୟ ସମୟଠାରୁ ପ୍ରାୟ ୨ ଘଣ୍ଟା ପୂର୍ବରୁ ରଥ ଟଣା ହୋଇଥିବା ବେଳେ, ଆଜି ତା’ଠାରୁ ଆହୁରି ସଅଳ ରଥ ଟଣା ହୋଇଛି। ସେଦିନ ଅପରାହ୍ଣ ୪ଟା ବେଳେ ରଥ ଟାଣିବାକୁ ସମୟ ନିର୍ଘଣ୍ଟ ହୋଇଥିବା ବେଳେ ଅପରାହ୍ଣ ପ୍ରାୟ ୨ଟା ୧୫ ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା।

ଆଜି ଶ୍ରୀଜିଉଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଥିଲା। ଦିନ ୧୨ଟା ବେଳେ ପହଣ୍ଡି ପାଇଁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ଏହାର ଅଧାଘଣ୍ଟା ପୂର୍ବରୁ ପହଣ୍ଡି ଶେଷ ହେବା ସହ ଚତୁର୍ଦ୍ଧା ମୂର୍ତ୍ତି ରଥାରୂଢ଼ ହୋଇଥିଲେ। ଶ୍ରୀଜିଉଙ୍କ ସେନାପଟା ଲାଗି, ମଙ୍ଗଳ ଆଳତି, ମଇଲମ, ତଡ଼ପ ଲାଗି, ଅବକାଶ ନୀତି ଓ ଖେଚୁଡ଼ି ଭୋଗ ଆଦି ନିର୍ଦ୍ଧାରିତ ସମୟଠାରୁ ସଅଳ ଶେଷ ହେବା ପରେ ସକାଳ ପ୍ରାୟ ୯ଟା ୧୫ ବେଳକୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରାୟ ସାଢ଼େ ୧୧ଟା ବେଳକୁ ପହଣ୍ଡି ସଂପନ୍ନ ହୋଇଥିଲା।

ନିୟମ ଅନୁଯାୟୀ, ପ୍ରଥମେ ପ୍ରଭୁ ଶ୍ରୀସୁଦର୍ଶନଙ୍କୁ ପହଣ୍ଡିରେ ଅଣାଯାଇଥିଲା। ଏହା ପରେ ମହାପ୍ରଭୁ ଶ୍ରୀବଳଭଦ୍ର, ମା’ ସୁଭଦ୍ର ଓ ଶେଷରେ କାଳିଆ ଠାକୁର ପହଣ୍ଡିରେ ଆସି ରଥାରୂଢ଼ ହୋଇଥିଲେ।

ଏହା ପରେ ଅନ୍ୟାନ୍ୟ ନୀତିକାନ୍ତି ସରିବା ପରେ ଗଜପତି ମହାରାଜ ଛେରା ପହଁରା କରିଥିଲେ। ତା’ପରେ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୪ଟା ବେଳେ ରଥ ଟଣା ହେବ ବୋଲି ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଅପରାହ୍ଣ ପ୍ରାୟ ୧ଟା ୧୫ ବେଳକୁ ମହାପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥଟଣା ଆରମ୍ଭ କରାଯାଇଥିଲା।