ଉଦାହରଣ ପାଲଟିଲେ ପାଣ୍ଡିଆନ : ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଲାଗି ସାରଥି ସାଜିଲେ ୫-ଟି ସଚିବ

ଧର୍ମ ପାଳନ କଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପୁଣି ମୁଖ୍ୟମନ୍ତ୍ରୀଙ୍କ ଗାଡି ଡ୍ରାଇଭର ସିଟରେ । ସ୍ୱାଧୀନତା ଦିବସ ପାଳନ ସମୟରେ ଏମିତି ଦୃଶ୍ୟ ଆଜି ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ରାଜ୍ୟ ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଗାଡି ଚଳାଉଥିବା ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗାଡି ଡ୍ରାଇଭର୍ ସିଟ୍ ରେ ଆଜି ତାଙ୍କର ଅତି ବିଶ୍ୱସ୍ତ ଅଫିସର ତଥା ସଚିବ(୫-ଟି) ଭି.କେ.ପାଣ୍ଡିଆନ୍ ଥିଲେ । ଚିରାଚରିତ ଭାବେ କାର୍ ର ସାମନା ସିଟ୍ ରେ ମୁଖ୍ୟମନ୍ତ୍ରୀ ବସିଥିବା ବେଳେ ଗାଡି ଚଳାଉଥିଲେ ପାଣ୍ଡିଆନ୍ । କାରକେଡ୍ ଭିତରେ ନବୀନ ନିବାସରୁ ୟୁନିଟ୍-୩ ସ୍ୱାଧୀନତା ଦିବସ ପ୍ୟାରେଡ ସ୍ଥଳ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ପାଣ୍ଡିଆନ୍ ନିଜେ ଡ୍ରାଇଭ୍ କରି ଗାଡିରେ ନେବା ଆଣିବା କରିଥିଲା ।

୭୪ତମ ସ୍ୱାଧୀନତା ଦିବସ ପାଳନର ରାଜ୍ୟସ୍ତରୀୟ ସମାରୋହରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ କେମିତି ଯିବେ ତାହା ଚିନ୍ତାର ବିଷୟ ହୋଇଥିଲା ବେଳେ ପାଣ୍ଡିଆନ୍ ନିଜେ ଡ୍ରାଇଭିଂ କରିବାକୁ ଆଗ୍ରହୀ ହୋଇଥିଲେ ବୋଲି ଜଣାପଡ଼ିଛି । ପାଣ୍ଡିଆନ୍ ଖାଲି ଗାଡ଼ି ଚଳାଇନାହାନ୍ତି, ଡ୍ରାଇଭର୍ ଙ୍କ ଭୂମିକାରେ ନିଜକୁ ରଖି ସେହି ସୌଜନ୍ୟତା ବି ଦେଖାଇଛନ୍ତି ।

ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ସାମାଜିକ ଦୂରତା ସମସ୍ତେ ପାଳନ କରୁଛନ୍ତି । ମୁଖ୍ୟମନ୍ତ୍ରୀ ସମସ୍ତ ଆଲୋଚନା ଓ ବୈଠକ ନିଜ ବାସଭବନରୁ ଭିଡିଓ କନଫେରନସିଂ ଯୋଗେ କରୁଛନ୍ତି । ଏଭଳି ସ୍ଥିତିରେ ଏହି ସ୍ୱାଧିନତା ଦିବସରେ ମୁଖ୍ୟମନ୍ତ୍ରୀ ଆଜି ପତାକା ଉତ୍ତୋଳନ ପାଇଁ ରାଜ୍ୟସ୍ତରୀୟ ଉତ୍ସବରେ ଯୋଗ ଦେଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପାଣ୍ଡିଆନଙ୍କ ଏହି ଚାଳକ ଭୂମିକାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିନା ସଙ୍କୋଚରେ ପାଣ୍ଡିଆନ୍ ଙ୍କର ଏଭଳି ମହାନ୍ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ପାଣ୍ଡିଆନ୍ ଙ୍କ ଭଳି ଜଣେ ଶୀର୍ଷସ୍ତରର ଅଫିସର ମୁଖ୍ୟମନ୍ତ୍ରୀଙ୍କ ଗାଡ଼ିକୁ ଚଳାଇବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।