ନୂଆଦିଲ୍ଲୀ : ରାଫେଲ ଜେଟ୍ ଚୁକ୍ତିରେ ଦୁର୍ନୀତି ହୋଇଥିବା ଅଭିଯୋଗ କରି କୋର୍ଟ ତଦାରଖରେ ଏହାର ତଦନ୍ତ କରାଯିବାକୁ ଦାଖଲ ଏକାଧିକ ଜନସ୍ୱାର୍ଥ ମାମଲା ଆଜି ସୁପ୍ରିମକୋର୍ଟରେ ଖାରଜ ହୋଇଯାଇଛି । ଫ୍ରାନ୍ସରୁ ୩୬ଟି ରାଫେଲ୍ ଜେଟ୍ କିଣିବା ଲାଗି ମୋଦୀ ସରକାରଙ୍କ ନିଷ୍ପତ୍ତିରେ ସନ୍ଦେହ କରିବାର ଅବକାଶ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ, ଜଷ୍ଟିସ୍ ଏସ୍କେ କାଉଲ ଓ ଜଷ୍ଟିସ୍ କେଏମ୍ ଯୋଶେଫଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, କୌଣସି ଘରୋଇ ସଂସ୍ଥାକୁ ଅଯଥା ଅନୁଗ୍ରହ ପ୍ରଦର୍ଶନର ପ୍ରମାଣ ନାହିଁ ।
ଖଣ୍ଡପୀଠ ପକ୍ଷରୁ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋଗୋଇ ରାୟ ପାଠ କରି କହିଛନ୍ତି, ୫୮ ହଜାର କୋଟି ଟଙ୍କାର ଏହି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି । କିନ୍ତୁ ଦୁର୍ନୀତି ସମ୍ପର୍କରେ କୌଣସି ପ୍ରାମାଣିକ ତଥ୍ୟ ଉପସ୍ଥାପନ କରାଯାଇ ନାହିଁ । ଏଭଳି ଲଢ଼ୁଆ ଜେଟ୍ ଦେଶ ଓ ଭାରତୀୟ ବାୟୁସେନା ପାଇଁ ଅତି ଜରୁରୀ । ୨୦୧୬ ସେପ୍ଟେମ୍ବରରେ ଏହି ଚୁକ୍ତିନାମା ଚୂଡ଼ାନ୍ତ ହେଲାବେଳେ କେହି ପ୍ରଶ୍ନ ଉଠାଇ ନଥିଲେ । ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍ସୁଆଁ ଓଲାନ୍ଦେ ଏହି ଚୁକ୍ତି ସମ୍ପର୍କରେ ଏକ ବିବୃତି ଦେବା ପରେ ଅନେକ ପ୍ରଶ୍ନ ଉଠିଛି । ଏହାକୁ ଭିତ୍ତିକରି କୋର୍ଟ ଏହି ଚୁକ୍ତିର ଆଇନଗତ ସମୀକ୍ଷା କରିପାରିବେ ନାହିଁ । ସରକାର ୧୨୬ଟି ଜେଟ୍ କିଣିବେ କି ୩୬ଟି ଜେଟ୍ କିଣିବେ, ସେଥିପାଇଁ କୋର୍ଟ ସରକାରଙ୍କୁ ବାଧ୍ୟ କରିପାରିବେ ନାହିଁ । ଏ ନିଷ୍ପତ୍ତି ସରକାରଙ୍କର ଏବଂ ଏଥିରେ କୋର୍ଟଙ୍କର କିଛି କରିବାର ନାହିଁ । ଉଲ୍ଲେଖଯୋଗ୍ୟ ଯେ, ଗତ ନଭେମ୍ବର ୧୪ରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତ ଏକାଧିକ ଜନସ୍ୱାର୍ଥ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ।
ଆଡ୍ଭୋକେଟ୍ ଏମ୍ଏଲ୍ ଶର୍ମା ରାଫେଲ ଜେଟ୍ ଖର୍ଦ୍ଦି ନେଇ ପ୍ରଥମେ ମାମଲା ରୁଜୁ କରିଥିଲେ । ଏହାପରେ ଅନ୍ୟ ଜଣେ ଓକିଲ ବିନୀତ ଧଣ୍ଡା ସୁପ୍ରିମକୋର୍ଟରେ ଆବେଦନ କରି କୋର୍ଟ ତଦାରଖରେ ଏହି ଚୁକ୍ତିର ତଦନ୍ତ କରାଯିବାକୁ ପ୍ରାର୍ଥନା କରିଥିଲେ । ଆପ୍ ନେତା ସଞ୍ଜୟ ସିଂହ ମଧ୍ୟ ଏଥିନେଇ ଆବେଦନ କରିଥିଲେ । ୩ଟି ଆବେଦନ ଦାଖଲ ହେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶବନ୍ତ ସିହ୍ନା ଓ ଅରୁଣ ସୌରୀ ସାମାଜିକ କର୍ମୀ ତଥା ଓକିଲ ପ୍ରଶାନ୍ତ ଭୂଷଣଙ୍କ ସହ ସୁପ୍ରିମକୋର୍ଟକୁ ଯାଇଥିଲେ । ଏହି ଅନିୟମିତତା ଅଭିଯୋଗ ଉପରେ ଏତଲା ରୁଜୁ କରିବା ଲାଗି ସିବିଆଇକୁ ନିର୍ଦ୍ଦେଶ ଦିଆଯିବାକୁ କୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ଏଥିପୂର୍ବରୁ କେନ୍ଦ୍ର ସରକାର ୩୬ଟି ରାଫେଲ ଜେଟ୍ ଖର୍ଦ୍ଦି ଯଥାର୍ଥ ବୋଲି ଦର୍ଶାଇ ଏହାର ମୂଲ୍ୟ ସମ୍ପର୍କରେ ସାଧାରଣରେ ତଥ୍ୟ ପ୍ରଘଟ କରିବାକୁ ମନା କରିଦେଇଥିଲେ । ସୁପ୍ରିମକୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଜେପିସି ତଦନ୍ତର ଆଦୌ ପ୍ରଶ୍ନ ଉଠୁନାହିଁ । ଏଥିପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ କଂଗ୍ରେସ ଅଧ୍ୟକ୍ଷ ଦେଶବାସୀଙ୍କ ନିକଟରେ କ୍ଷମା ମାଗିବାକୁ ଦାବି କରିଥିଲେ ।
ରାଫେଲ ପ୍ରସଙ୍ଗ : ରାହୁଲ ଗାନ୍ଧୀ ଦେଶର ଜନତା ଏବଂ ସେନା ଆଗରେ କ୍ଷମା ମାଗନ୍ତୁ – ଅମିତ ଶାହା