ତୁଟିଲା କଂଗ୍ରେସ ବିବାଦ : ୧୭ରେ ଶପଥ ନେବେ କମଲନାଥ,ଗେହଲଟ୍ ହେବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : କଂଗ୍ରେସ ଦଳରେ ବ୍ୟାପକ ବିଚାରବିମର୍ଶ ଓ ମାନସ ମନ୍ଥନ ପରେ ରାଜସ୍ଥାନର ନୂଆ ନେତା ବଛାଯାଇଛି । ରାଜ୍ୟର ୨ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଅଶୋକ ଗେହଲଟ୍ (୬୭) ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଦଳର ହାଇକମାଣ୍ଡ ସ୍ଥିର କରିଛନ୍ତି । ପିସିସି ସଭାପତି ସଚ୍ଚିନ୍ ପାଇଲଟ୍ ଉପମୁଖ୍ୟମନ୍ତ୍ରୀ ହେବେ । ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଥିବାରୁ ସେଠାରେ ସରକାର ଗଠନ ପାଇଁ ଦଳର ନେତୃତ୍ୱ ଫଳାଫଳ ଘୋଷଣା ପରଠାରୁ ବିଭିନ୍ନ ନେତାଙ୍କ ସହ ଆଲୋଚନା ପର୍ଯ୍ୟାଲୋଚନା ଚଳାଇଛନ୍ତି ।

ଗତକାଲି ରାଜସ୍ଥାନର ୨ ନେତା ଗେହଲଟ୍ ଓ ପାଇଲଟ୍ ନୂଆଦିଲ୍ଲୀ ଆସି ରାହୁଲଙ୍କ ସହ ପୃଥକ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ନଥିଲା । ଫଳରେ ଆଜି ମଧ୍ୟ ୨ ନେତା ନୂଆଦିଲ୍ଲୀରେ ରାହୁଲଙ୍କୁ ଭେଟି ଆଲୋଚନା କରିବା ପରେ ରାସ୍ତା ଫିଟିଛି । ରାଜସ୍ଥାନ ପାଇଁ କଂଗ୍ରେସର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ କେସି ବେନୁଗୋପାଲ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନେତାଙ୍କ ନାମ ଘୋଷଣା କରିଥିଲେ । ଏହି ପରିପ୍ରେକ୍ଷୀରେ ଗେହଲଟ୍ ଏହି ନିଷ୍ପତ୍ତି ପାଇଁ କୃତଜ୍ଞ ବୋଲି କହିଛନ୍ତି । ପାଇଲଟ୍ କହିଛନ୍ତି, ‘ଗେହଲଟ୍ ଓ ମୋ ମ୍ୟାଜିକ୍’ କାମ କରିଛି । ସେହିପରି ବରିଷ୍ଠ କଂଗ୍ରେସ ନେତା କମଲନାଥ ଆସନ୍ତା ୧୭ରେ ମଧ୍ୟପ୍ରଦେଶର ଅଷ୍ଟାଦଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେ ଆଜି ରାଜଭବନରେ ରାଜ୍ୟପାଳ ଆନନ୍ଦିବେନ ପଟେଲଙ୍କୁ ଭେଟିବା ପରେ ତାଙ୍କୁ ସରକାର ଗଠନ କରିବା ଲାଗି ଆମନ୍ତ୍ରଣ କରାଯାଇଛି । ରାଜ୍ୟପାଳଙ୍କୁ ଭେଟିବା ପରେ କମଲନାଥ ରାଜଭବନ ଠାରେ ଗଣମାଧ୍ୟମକୁ କହିଛନ୍ତି, ଆସନ୍ତା ୧୭ ତାରିଖ ଅପରାହ୍ଣ ୧.୩୦ରେ ଭୋପାଳର ଲାଲ୍ ପ୍ୟାରେଡ୍ ଗ୍ରାଉଣ୍ଡ୍ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଛିନ୍ଦୱାରା ଆସନରୁ ଲୋକସଭାକୁ ୯ ଥର ନିର୍ବାଚିତ ହୋଇଥିବା କମଲନାଥ ବହୁବାର କେନ୍ଦ୍ରରେ ମନ୍ତ୍ରୀ ଥିଲେ । ତାଙ୍କୁ ଗତ ଏପ୍ରିଲ ୨୬ରେ ମଧ୍ୟପ୍ରଦେଶର ପିସିସି ସଭାପତି ଭାବେ ନିଯୁକ୍ତ ଦିଆଯାଇଥିଲା ।

ନଭେମ୍ବର ୨୮ ବିଧାନସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠ ଦଳ ହେବାରୁ କମଲନାଥ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଆଗରେ ଥିଲେ । ୨୩୦ ଆସନ ବିଶିଷ୍ଟ ବିଧାନସଭାରେ କଂଗ୍ରେସ ୧୧୪ ଆସନ ପାଇଥିଲା ବେଳେ ବିଜେପି ୧୦୯ ଆସନ ପାଇଛି । ଏଠାରେ ମ୍ୟାଜିକ ନମ୍ବର ହେଉଛି ୧୧୬ । ବିଏସ୍ପିର ୨, ସମାଜବାଦୀ ପାର୍ଟି ୧ ଓ ସ୍ୱାଧୀନ ସଦସ୍ୟ ୪ ଜଣ ନିର୍ବାଚିତ ହୋଇଛନ୍ତି । ଗତକାଲି ରାତିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗ୍ରୀନ୍ ସିଗ୍ନାଲ ମିଳିବା ପରେ କମଲନାଥ କଂଗ୍ରେସ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଦୌଡ଼ରେ ଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ କେନ୍ଦ୍ରରେ ଉପଯୁକ୍ତ ଭୂମିକା ମିଳିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ସେ ଏଥିରୁ ଓହରି ଯାଇଛନ୍ତି ।