ବାତ୍ୟା ଥୋପେଇ ପ୍ରଭାବରେ ୧୬ରୁ ପ୍ରବଳ ବର୍ଷା, ଚିନ୍ତାରେ ଚାଷୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସଆରସି

ଭୁବନେଶ୍ୱର : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଡିପ୍‌ ଡିପ୍ରେସନ୍‌ରେ ପରିଣତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି। ବର୍ତ୍ତମାନ ଝଡ଼ବାତ୍ୟାଟି ଗଭୀର ଅବପାତ ରୂପରେ ରହିଛି। ଆସନ୍ତା ଶନିବାର ସକାଳ ସୁଦ୍ଧା ଗଭୀର ଅବପାତ ଘୂର୍ଣ୍ଣିଝଡ଼ର ରୂପ ନେଇପାରେ। ଏହି ବାତ୍ୟାର ନାମ ପେଥାଇ ରହିବ। ଏହି ନାମଟି ଥାଇଲ୍ୟାଣ୍ଡ ପକ୍ଷରୁ ଦିଆଯାଇଛି।

ଏହାର ପ୍ରଭାବରେ ୧୬ରୁ ସାରା ରାଜ୍ୟରେ ବର୍ଷାର ସମ୍ଭାବନା ରହିଛି । ଆସନ୍ତାକାଲିଠାରୁ ମଧ୍ୟ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ତେବେ ୧୬ରୁ ସାରା ରାଜ୍ୟରେ କୋହଲା ପାଗ ଲାଗି ରହିବା ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ଏଚ୍ ଆର ବିଶ୍ୱାସ କହିଛନ୍ତି, ବର୍ତ୍ତମାନ ଚେନ୍ନାଇଠାରୁ ୯୩୦ କିମି ଦୂରରେ ଏହି ଲଘୁଚାପ ଘନୀଭୂତ ହେବାରେ ଲାଗିଛି ।

ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ତେଣୁ ୧୬ରୁ ସାରା ରାଜ୍ୟରେ କୋହଲା ପାଗ ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୭ରେ କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ତରଫରୁ ସୂଚନା ଦିଆଯାଇଛି । ଗୁରୁବାର ବର୍ଷାକୁ ଦୃଷ୍ଟିରେ ରଖି ସିଆର୍ସି ଫସଲ ସୁରକ୍ଷିତ ରଖିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀଙ୍କୁ କଟାଯାଇଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ରାଜ୍ୟ ସରକାରଙ୍କ ତରଫରୁ ପରାମର୍ଶ ଦିଆଯାଇଛି । ଖଳାରେ ଥିବା ଧାନକୁ ଘୋଡ଼ାଇ ରଖିବାକୁ କୁହାଯାଇଛି । ମଣ୍ଡିରେ ଧାନ ବସ୍ତାଗୁଡ଼ିକୁ ଘୋଡ଼ାଇ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହିତ ବିଲରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ମଧ୍ୟ କୁହାଯାଇଛି । ଏଥିପ୍ରତି ଦୃଷ୍ଟି ଦେବାକୁ ଏସ୍ଆର୍ସି ବିଷ୍ଣୁପଦ ସେଠୀ ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଛନ୍ତି ।