କିଛି ନିର୍ଦ୍ଦେଶାବଳୀ ରହିବ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା

ନୂଆଦିଲ୍ଲୀ: ମାର୍ଚ୍ଚ ୨୪ରେ ପ୍ରଥମ ଲକଡାଉନ ଘୋଷଣା ହେବା ପରଠାରୁ ବନ୍ଦ ହୋଇ ରହିଥିବା ସର୍ବସାଧାରଣ ପରିବହନ ବ୍ୟବସ୍ଥା ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହୋଇପାରେ ବୋଲି ବୁଧବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି। ଏଥସହ ସେ  ପରିବହନକାରୀଙ୍କୁ ଆଶ୍ୱାସନା ଦେଇଛନ୍ତି। କିଛି ନିର୍ଦ୍ଦେଶାବଳୀ ସହିତ ଖୁବ ଶୀଘ୍ର ସର୍ବସାଧାରଣ ପରିବହନ କାର୍ଯ୍ୟକ୍ଷମ କରାଯିବ।  ପରିବହନ ବ୍ୟବସ୍ଥା  ଏବଂ ରାଜପଥରେ ଚଳାଚଳ ଜନସାଧାରଣଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବାରେ ସାହାଯ୍ୟ କରିବ ବୋଲି ମନ୍ତ୍ରୀ ନୀତିନ ଗଡ଼କରୀ ମତ ଦେଇଛନ୍ତି ।

ବସ୍ ଏବଂ କାର୍ ଚଳାଚଳ ସମୟରେ ସାମାଜିକ ଦୂରତା ବଜାୟ ରଖିବା, ହାତ ଧୋଇବା, ସାନିଟାଇଜର, ଫେସ୍ ମାସ୍କ ଇତ୍ୟାଦି ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ସେ ଚେତାବନୀ ଦେଇଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ବସ୍  ଏବଂ କାର୍ ଅପରେଟର୍ସ କନଫେଡେରେସନ୍ ଅଫ୍ ଇଣ୍ଡିଆର ସଦସ୍ୟମାନଙ୍କୁ ମନ୍ତ୍ରୀ ସମ୍ବୋଧିତ କରିବା ସମୟରେ ଏହି ସବୁ ବିଷୟରେ ଆଲୋଚନା କରିଥିଲେ ବୋଲି ଜଣାପଡିଛି ।

ଗଡକରୀ ବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ, ଦେଶ ଏବଂ ଏହାର ଶିଳ୍ପ ମିଳିତ ଭାବେ ଉଭୟ କରୋନାଭାଇରସ୍ ଏବଂ ଅର୍ଥନୈତିକ ମନ୍ଥରତା ବିରୋଧି ଯୁଦ୍ଧରେ ଜିତିବେ । ସର୍ବସାଧାରଣ ପରିବହନର ସ୍ଥିତିକୁ ସୁଦୃଢ କରିବା ପାଇଁ କନଫେଡେରେସନର ସଦସ୍ୟମାନେ କିଛି ପରାମର୍ଶ ଦେଇଥିଲେ, ଯେଉଁଥିରେ ସୁଧ ଦେୟ ଛାଡ, ସାଧାରଣ ପରିବହନକୁ ପୁନଃ ଆରମ୍ଭ କରିବା, ଗାଡ଼ି ଫିଟନେସ୍ ସୀମା ବୃଦ୍ଧି, ରାଜ୍ୟ ଟିକସ ସ୍ଥଗିତ ରଖିବା, ଏମଏସଏମଇ ସୁବିଧା ବୃଦ୍ଧି, ବୀମା ପଲିସି ବୈଧତା ଇତ୍ୟାଦି ଅନ୍ତର୍ଭୁକ୍ତ |