ଭୁବନେଶ୍ୱର: ରାଜ୍ୟରେ ପୁଣି ୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ କରୋନା ପଜିଟିଭ୍ ୪ ଜଣ ଜଗତସିଂହପୁର ଜିଲ୍ଲା ନାଉଗାଁର ହୋଇଥିବା ବେଳେ ଆଉ ଜଣେ କେନ୍ଦ୍ରାପଡାର ବୋଲି ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲାର ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସୂଚନା ମିଳିଛି । ତେବେ ଜଗତସିଂହପୁରରେ ପ୍ରଥମ ଥର ପାଇଁ କରୋନା ଛୁଇଁଛି । ଏହି ଜିଲ୍ଲାରେ ଏକାଥରକେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଯାକ ଗୋଟିଏ ସଙ୍ଗରୋଧ ଗୃହରେ ଥିଲେ l କାହା ନିକଟରେ ରୋଗର ଲକ୍ଷଣ ନ ଥିବା କଥା ସ୍ପଷ୍ଟ କରିଛନ୍ତି ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର। କେନ୍ଦ୍ରାପଡାରେ ପ୍ରଥମେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ସୁସ୍ଥ ହେଲା ପରେ ଏହି ଜିଲ୍ଲାକୁ ଗ୍ରୀନ ଜୋନ ବୋଲି ଘୋଷଣା ହୋଇଥିଲା । ଏବେ ପୁଣି ଜଣେ ଚିହ୍ନଟ ହେବା ପରେ ଜିଲ୍ଲା ଏବେ ଆକ୍ରାନ୍ତ ତାଲିକାକୁ ଆସିଗଲା । ଏହା ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫ରେ ପହଂଚିଛି ।