ବିଏସଏଫ୍ ର ୮୫ ଜଣ ଯବାନ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ : ଭାରତର ସୀମା ସୁରକ୍ଷା ବଳ ବା ବିଏସଏଫରେ କରୋନା ଭାଇରସ ଏକ ଚିନ୍ତାର କାରଣ ହୋଇଛି । ବିଏସଏଫର ଆଉ ୮୫ ଜଣ ଯବାନ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି । ଗତ କାଲି ୬୯ ଜଣ ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହାସହିତ ବିଏସଏଫରେ ଏପର୍ଯ୍ୟନ୍ତ ମୋଟ ୧୫୪ ଜଣ କୋରନା ସଂକ୍ରମିତ ହୋଇଥିବା ବିଏସଏଫ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସେବାରତ ଥିବାବେଳେ ବିଏସଏଫ ଯବାନମାନେ ସଂକ୍ରମିତ ହୋଇଥିବା ଜଣାଯାଇଛି ।

ସଂକ୍ରମିତ ଯବାନ ଓ କର୍ମଚାରୀମାନଙ୍କୁ କୋଭିଡ-୧୯ ହସପିଟାଲରେ ଭର୍ତି କରାଯାଇଛି । ତେବେ ଦିଲ୍ଲୀର ସିଜିଓ କଂପ୍ଲେକ୍ସ ସ୍ଥିତ ବିଏସଏଫ ମୁଖ୍ୟାଳୟକୁ ସାନିଟାଇଜ କରାଯିବା ପରେ ପୁଣି ଥରେ ଖୋଲିଦିଆଯାଇଛି । ଏହା ସହିତ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ଏସଓପିକୁ କଡ଼ାକଡ଼ିଭାବେ ପାଳନ କରାଯାଉଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।

କେବଳ ବିଏସଏଫ ନୁହେଁ, ସିଆରପିଏଫରେ ମଧ୍ୟ କରୋନା ଅନୁପ୍ରବେଶ କରିସାରିଛି । ପୂର୍ବ ଦିଲ୍ଲୀ ସ୍ଥିତ ସିଆରପିଏଫର ୩୧-ବାଟାଲିୟନରେ ଏପର୍ଯ୍ୟନ୍ତ ୧୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସାମଗ୍ରିକ ଭାବେ ସିଆରପିଏଫରେ ଏପର୍ଯ୍ୟନ୍ତ ୧୨୭ ଜଣ କରୋନା ସଂକ୍ରମିତ ଥିବାବେଳେ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି ।