ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ ହେବ – ଧର୍ମେନ୍ଦ୍ର ପ୍ରଧାନ

କେନ୍ଦ୍ର କ୍ୟାବିନେଟ୍‌ର ମାଗଣା ୱôାଇ-ଫାଇ ସେବା ନିଷ୍ପତିକୁ କେନ୍ଦ୍ରମନ୍ତ୍ରୀଙ୍କ ସ୍ୱାଗତ

ନୂଆଦିଲ୍ଲୀ/ଭୁବନେଶ୍ୱର :  ଡିଜିଟାଲ ଇଣ୍ଡିଆ ପଦକ୍ଷେପ ମାଧ୍ୟମରେ ଦେଶରେ ଇ-ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବା ଏବଂ ନାଗରିକଙ୍କ ଜୀବନକୁ ସୁଗମ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତରେ ଡିଜିଟାଲ ସଂଯୋଗକୁ ପ୍ରୋତ୍ସାହନ ଦେବା ଦିଗରେ ଆଜିର କ୍ୟାବିନେଟ୍ ନିଷ୍ପତି ଡ଼ିଜିଟାଲ ଇଣ୍ଡିଆ ଓ ଆତ୍ମନିର୍ଭର ଭାରତର ସ୍ୱପ୍ନ ପୂରଣ କରିବା ସହ ଡ଼ିଜିଟାଲ ଇଣ୍ଡିଆକୁ ବଡ଼ ଗତି ଦେବ ବୋଲି ଟ୍ୱିଟ୍ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କ୍ୟାବିନେଟ ନିଷ୍ପତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଧନ୍ୟବାଦ
 ସ୍ପିଡ୍ ଇଂଟରନେଟ୍ ପାଇଁ ପିଏମ୍‌-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ
 ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଅବଧି ବୃଦ୍ଧି କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନିଯୁକ୍ତି ସୁଯୋଗ ଦେବ

ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ସର୍ବସାଧାରଣରେ ମାଗଣା ୱାଇ-ଫାଇ ପ୍ରତିଷ୍ଠା ପାଇଁ ପିଏମ୍‌-ୱାଣୀ ଆରମ୍ଭ ହେବା ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହି ନିଷ୍ପତି ଫଳରେ ଲୋକମାନେ ବିନା କୌଣସି ଶୁଳ୍କରେ ପ୍ରତିଷ୍ଠା ହେବାକୁ ଥିବା ପବ୍ଲିକ ଡ଼ାଟା ଅଫିସ ମାଧ୍ୟମରେ ହାଇ-ସ୍ପିଡ଼ ଇଂଟରନେଟର ସୁବିଧା ପାଇପାରିବେ । ଏହା ନିଷ୍ପତି ଡ଼ିଜିଟାଲ ସ୍ୱାକ୍ଷରତାକୁ ପ୍ରୋତ୍ସାହନ ଦେବାରେ ସହାୟକ ହେବ ଓ ଟେଲିକମ ସେବାରେ ଉନ୍ନତି ଆଣିବ । ଏହାସମେତ ଶିକ୍ଷା, ଟେଲି ମେଡିସିନ୍‌, ଇ-ବାଣିଜ୍ୟ
ଏବଂ ଇ-ଶାସନ ସମେତ ଅନେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ସେହିପରି କୋଚି ଏବଂ ଲକ୍ଷାଦ୍ୱୀପ ଦ୍ୱୀପପୁଞ୍ଜ ମଧ୍ୟରେ ଭୂତଳ ଅପ୍ଟିକାଲ୍ ଫାଇବର ସଂଯୋଗ ପ୍ରଦାନ ଓ ଅରୁଣାଚଳ ପ୍ରଦେଶ ଏବଂ ଆସାମର କିଛି ଭାଗରେ ମୋବାଇଲ୍ କଭରେଜ୍ ନିମନ୍ତେ ୟୁନିଭର୍ସାଲ୍ ସର୍ଭିସ୍ ବାଧ୍ୟତାମୂଳକ ପାଣ୍ଠି ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ଦେବା ଫଳରେ ଏହି ଅଂଚଳ ଗୁଡିକର ବିକାଶରେ ପରିବର୍ତନ ଆସିପାରିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାରେ ୨୨ ହଜାର ୮୧୦ କୋଟି ଟଙ୍କା ବ୍ୟୟରେ ସମଗ୍ର ଯୋଜନାର ଅବଧି ୨୦୨୦ ରୁ ୨୦୨୩ ଯାଏଁ ବୃଦ୍ଧି କରାଯାଇଛି । ଏହି ନିଷ୍ପତି ଦ୍ୱାରା ଆନୁଷ୍ଠାନିକ କ୍ଷେତ୍ରରେ ନିଯୁକ୍ତି ତଥା କୋଭିଡ ପୁନରୁଦ୍ଧାର ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।