ସାମ୍ବାଦିକ ପ୍ରବୀରଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ୧୫ ଲକ୍ଷର ସହାୟତା, ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ

ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦିବଂଗତ ସାମ୍ବାଦିକ ପ୍ରବୀର କୁମାର ପ୍ରଧାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସରକାରଙ୍କ ଓଡିଶା ଓାର୍କିଂ ଜର୍ନାଲିଷ୍ଟ ଓଲଫେୟାର ଫଣ୍ଡ ରୁଲ୍ସ ୨୦୦୬ ଅନୁଯାଇ ଏହି ଅର୍ଥ ମଞ୍ଜୁର ହୋଇଛି । ଅର୍ଥ ମଞ୍ଜୁର ହେବା ପରେ ରାଜ୍ୟସରକାରଙ୍କ ଗଣମାଧ୍ୟମ ଉପଦେଷ୍ଟା ମାନସ ମଙ୍ଗରାଜ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜଣାଇଛନ୍ତି । ନ୍ୟୁଜ-୧୮ରେ କାଯ୍ୟରତ ଥିବାବେଳେ ସାମ୍ବାଦିକ ସ୍ୱର୍ଗତ ପ୍ରବୀର ପ୍ରଧାନଙ୍କର କରୋନାରେ ମୃତ୍ୟୁ ହୋଇଥିଲା ।

ମାସକ ତଳେ ନଭେମ୍ବର ୫ ତାରିଖରେ ବରିଷ୍ଠ ସାମ୍ବାଦିକ ପ୍ରବୀର ପ୍ରଧାନଙ୍କର ଦେହାନ୍ତ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୫ ବର୍ଷ ବୟସ ହୋଇଥିଲା। ଘରେ ତାଙ୍କର ବିଧବା ପତ୍ନୀ ଓ ୨ବର୍ଷର ଏକ ଝିଅ ଅଛି। ଅତୀତରେ ତାଙ୍କ ବାପା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାନୁଯାୟୀ, ଅକ୍ଟୋବର ୩୧ ତାରିଖରେ ପ୍ରବୀର ଅସୁସ୍ଥ ଅନୁଭବ କରିବାରୁ କରୋନା ପରୀକ୍ଷା କରାଇଥିଲେ।