ଜମ୍ମୁ : ଜମ୍ମୁ-କଶ୍ମୀରକୁ ୮ ୱିକେଟରେ ହରାଇ ଓଡ଼ିଶା ସ୍ଥାନୀୟ ସରକାରୀ ଗାନ୍ଧୀ ମେମୋରିଆଲ ସାଇନ୍ସ କଲେଜ୍ ଗ୍ରାଉଣ୍ଡରେ ଖେଳାଯାଇଥିବା ୨୦୧୮- ୧୯ ରଣଜୀ ଗ୍ରୁପ୍-ସି’ ଲିଗ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବିଜୟ ହାସଲ କରିଛି । ଏହି ବିଜୟ ପରେ ଓଡ଼ିଶା ପଏଣ୍ଟ ଟେବଲର ୫ମ ସ୍ଥାନକୁ ଉନ୍ନୀତ ହୋଇଛି ।
ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଅଭିଷେକ ରାଉତଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ଓଡ଼ିଶାର ପ୍ରଥମ ଇନିଂସରେ ଶେଷ ଯାଏ ଅପରାଜିତ ରହି ସେ ୧୧୬ ରନ୍ କରିଥିଲେ । ମଙ୍ଗଳବାର ଶେଷ ହୋଇଥିବା ଏହି ମ୍ୟାଚ୍ରେ ଜମ୍ମୁ-କଶ୍ମୀର ଦ୍ୱିତୀୟ ଇନିଂସରେ ୩୯୧ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଫଳରେ ଓଡ଼ିଶା ଆଗରେ ୧୯୫ ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏହି ଲକ୍ଷ୍ୟକୁ ପିଛା କରି ଓଡ଼ିଶା ମାତ୍ର ୨ ୱିକେଟ ବିନିମୟରେ ବିଜୟ ଲାଗି ଆବଶ୍ୟକ ରନ୍ ସଂଗ୍ରହ କରିନେଇଥିଲା । ଦଳ ପକ୍ଷରୁ ଶାନ୍ତନୁ ମିଶ୍ର ୭୮ ଏବଂ ଶୁଭ୍ରାଂଶୁ ସେନାପତି ଅପରାଜିତ ୭୨ ରନ୍ କରି ଦଳକୁ ଏହି ଉଲ୍ଲେଖନୀୟ ବିଜୟ ପ୍ରଦାନ କରିଥିଲେ । ଚଳିତ ସିଜନରେ ଓଡ଼ିଶାର ଏହା ତୃତୀୟ ବିଜୟ ହୋଇଥିଲାବେଳେ ପରବର୍ତ୍ତୀ ମ୍ୟାଚ୍ ସର୍ଭିସେସ୍ ସହ ନୂଆଦିଲ୍ଲୀର ଆସନ୍ତା ଡିସେମ୍ବର ୩୦ରୁ ଜାନୁଆରୀ ୨ ଯାଏ ଖେଳିବ ।