ନୂଆ ଓଡ଼ିଶା ଗଢ଼ିବା ଅଟଳଜୀଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର  : ସାରା ବିଶ୍ୱରେ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଖ୍ୟାତି ରହିଥିଲା । ଆଧୁନିକ ଭାରତ ଗଢ଼ିବାର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡ଼ିଶା ସହ ତାଙ୍କର ବେଶ ସମ୍ପର୍କ ରହିଥିଲା । ପ୍ରଳୟଙ୍କରୀ ମହାବାତ୍ୟାରେ ଓଡ଼ିଶା ଛାରଖାର ହୋଇଥିବା ବେଳେ ଓଡ଼ିଶାକୁ ନୂଆ କରି ଗଢ଼ିବା ପାଇଁ ଅର୍ଥର ଅଭାବ ରହିବ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଅଟଳଜୀ । ମଙ୍ଗଳବାର ତାଙ୍କର ଜନ୍ମ ଜୟନ୍ତୀରେ ନୂଆ ଭାରତ ସହ ନୂଆ ଓଡ଼ିଶା ଗଢିବା ପାଇଁ ସଂକଳ୍ପ ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ପ୍ରେକ୍ଷାଳୟରେ ଅନୁଷ୍ଠିତ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ଜୟନ୍ତୀ ବା ସୁଶାସନ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଜପେୟୀଙ୍କ ସ୍ମୁତି ଚାରଣ କରିଥିଲେ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ସାନ୍ତାଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦେବା, ଓଡ଼ିଶାର ରେଳବିଭାଗର ବିକାଶ ସବୁକ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଥିଲା । ଶ୍ରୀ ପ୍ରଧାନ କହିଛନ୍ତି ଯେ, ଦେଶ ସ୍ୱାଧୀନତା ହେବାର ୭୦ ବର୍ଷ ବିତିଲାଣି । ଭାରତ ବର୍ଷରେ ଅନେକ ସରକାର ଆସଛନ୍ତି, ହେଲେ ଅଟଳଜୀଙ୍କ ଶାସନ ହିଁ ଆଧୁନିକ ସଭ୍ୟତାର ନୂଆ ରୂପ ଦେଇଥିଲେ । ସେ ସୁବର୍ଣ୍ଣ ଚତୁର୍ଭୁଜ ରାସ୍ତା ହେଉ ଅବା ଗାଁ ଗଣ୍ଡାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ଯୋଡିବା ତାଙ୍କର ଥିଲା ପ୍ରୟାସ । ଶ୍ରୀ ପ୍ରଧାନ କହିଛନ୍ତି ଆଜି ଓଡ଼ିଶାରେ ଏଭଳି ଗାଁ ନାହିଁ ଯେ, ଯେଉଁ ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଯାଇନାହିଁ । ଏହା ହେଉଛି ତାଙ୍କର ପରିକଳ୍ପନା ।

୨୦ ବର୍ଷ ତଳେ ରାସ୍ତା ନିର୍ମାଣରେ ଯେଉଁ ବିପ୍ଳବ ହୋଇଥିଲା ସେଥିପାଇଁ ଏବେବି ଲୋକେ ତାଙ୍କୁ ମନେ ପକାଉଛନ୍ତି । ଜନଜାତି, ଜାତି, ପଛୁଆବର୍ଗଙ୍କୁ ନେଇ ଗୋଟିଏ ବିଭାଗ ଥିବା ବେଳେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ବିଭାଗ ସେ ଖୋଲିଥିଲେ । ଯେଉଁଥିରେ ଓଡ଼ିଶାର ୨୫ ପ୍ରତିଶତ ଆଦିବାସୀଙ୍କ ସହ ସାରା ଦେଶର ଆଦିବାସୀ ଲାଭ ପାଇଥିଲେ । ସେ ପୋଖରାନ୍ ପରୀକ୍ଷଣ ହେଉ ଅବା କାରଗିଲ୍ ଯୁଦ୍ଧ କିମ୍ବା ବସ୍ ଯୋଗେ ପାକିସ୍ଥାନ ଯିବା ସମସ୍ତ କଠୋର ପଦକ୍ଷେପ ନେଇ ଦେଶକୁ ଦୃଢ଼ କରିବା ପାଇଁ ସେ ସମସ୍ତ ପଦକ୍ଷେପ ନେଇଛନ୍ତି । ଦେଶରେ ବିଜୁଳି ଉତ୍ପାଦନ, ସର୍ବଶିକ୍ଷ।। ଅଭିଯାନ ମାଧ୍ୟମରେ ପ୍ରାଥମିକ ଶିକ୍ଷାର ମଜଭୁତ କରିବା ତାଙ୍କର ପରିକଳ୍ପନା ଥିଲା । ରାସ୍ତା, ପାଠପଢା, ଆଦିବାସୀଙ୍କ ବିକାଶ, ନଦୀ ସଂଯୋଗୀକରଣ ପରି ଯୁଗାନ୍ତକାରୀ ପଦକ୍ଷେପ ତାଙ୍କ ସମୟରେ ହିଁ ହୋଇଥିଲା । ଶ୍ରୀ ପ୍ରଧାନ କହିଛନ୍ତି, ଆଜି ଆମେ ବାଜପେୟୀଙ୍କ ସ୍ମୃତିରେ ସୁଶାସନ ଦିବସ ପାଳନ କରୁଛୁ, ତେବେ ଓଡ଼ିଶାରେ ବହୁ ସମସ୍ୟା ରହିଛି । ଓଡ଼ିଶାରେ ୪୫୦ କିଲୋମିଟରର ସୁଦୀର୍ଘ ବେଳାଭୂମି ରହିଛି, ଉର୍ବର ଜମି ରହିଛି, ପରିଶ୍ରମୀ ଲୋକ ଅଛନ୍ତି, ତାହା ସତ୍ତେ୍ୱ ଓଡ଼ିଶା ଦାରିଦ୍ର‌୍ୟରେ ରହିଛି । ସ୍ୱାସ୍ଥ୍ୟ, ଶିକ୍ଷା ବ୍ୟବସ୍ଥା ନାହିଁ । କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ ଉଦ୍ବୋଧନ ଦେଇଥିଲେ ।