‘ବୋଗିବିଲି ବ୍ରିଜ୍’ ଲୋକାର୍ପିତ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ଭାରତର ଦୀର୍ଘତମ ରେଳ ଓ ସଡ଼କ ପୋଲ ‘ବୋଗିବିଲି ବ୍ରିଜ୍’କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଲୋକାର୍ପିତ କରିଛନ୍ତି । ୧୯୯୭ ଜାନୁଆରୀ ୨୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡ଼ା ଏହି ସେତୁର ଶିଳାନ୍ୟାସ କରିଥିଲେ । ୨୦୦୨ ଏପ୍ରିଲ ୨୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏହି ସେତୁ କାର୍ଯ୍ୟର ଶୁଭାରମ୍ଭ କରିଥିଲେ ।

ବିଭିନ୍ନ କାରଣକୁ ନେଇ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲେ ହେଁ ଦୀର୍ଘ ୨୧ ବର୍ଷ ପରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହ ପାଇଁ ଲାଇଫ୍ଲାଇନ କୁହାଯାଉଥିବା ଏହି ପୋଲକୁ କାର୍ଯ୍ୟକାରୀ କରାଯାଇଥିବାରୁ ସାଧାରଣରେ ଆନନ୍ଦଲହରୀ ଖେଳିଯାଇଛି । ବ୍ରହ୍ମପୁତ୍ର ନଦୀର ଦକ୍ଷିଣ ପାଶ୍ୱର୍ରେ ଥିବା ଆସାମର ବୋଗିବିଲି ସହର ସହ ଏହି ପୋଲ ନଦୀର ଉତ୍ତର ପାଶ୍ୱର୍ରେ ଥିବା ଅରୁଣାଚଳ ପ୍ରଦେଶର ପାଶୀଘାଟ ଅଞ୍ଚଳକୁ ସଂଯୋଗ କରୁଥିବା ବେଳେ ଉଭୟ ରାଜ୍ୟ ମଧ୍ୟରେ ସଡ଼କ ଏବଂ ରେଳପଥରେ ଯାତ୍ରା ସମୟ ଆଶାତୀତ ଭାବେ ହ୍ରାସ ପାଇଛି । କେବଳ ସାଧାରଣ ଯାତାୟତ ବ୍ୟବସ୍ଥା ନୁହେଁ, ସମଗ୍ର ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ସମୂହର ଅର୍ଥନୈତିକ ବିକାଶ ପାଇଁ ଏହି ପୋଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଏଥିସହ ଅରୁଣାଚଳ ପ୍ରଦେଶରେ ଚୀନ୍ ସହ ରହିଥିବା ଦୀର୍ଘ ୪୦୦୦ କିମି ସୀମାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା କ୍ଷେତ୍ରରେ ମଧ୍ୟ ଏହି ପୋଲ ଭାରତୀୟ ସେନା ପାଇଁ ନିର୍ଣ୍ଣାୟକ ଭୂମିକା ନିଭାଇବ ବୋଲି କୁହାଯାଇଛି । ବ୍ରହ୍ମପୁତ୍ର ନଦୀ ଉପରେ ନିର୍ମାଣ କରାଯାଇଥିବା ଏହି ପୋଲର ଲମ୍ବ ୪.୯୪ କିମି ରହିଥିବା ବେଳେ ଏଥିରେ ଦୁଇ ଥାକିଆ ବିଶିଷ୍ଟ ହୋଇଛି । ତଳଥାକରେ ଦୋହରା ରେଳପଥ ଥିବା ବେଳେ ଉପର ଥାକରେ ସଡ଼କ ପଥର ବ୍ୟବସ୍ଥା ହୋଇଛି । ଅତ୍ୟାଧୁନିକ ଜ୍ଞାନକୌଶଳ ଓ ସର୍ବୋତ୍ତମ କାରିଗରୀ ବିଦ୍ୟା ପ୍ରୟୋଗରେ ନିର୍ମାଣ କରାଯାଇଥିବା ଏହି ସୁଦୀର୍ଘ ପୋଲ ଭାରତୀୟ ରେଳ ବିଭାଗର ଦୀର୍ଘତମ ପୋଲ ଭାବେ ପ୍ରତିଷ୍ଠା ଲାଭ କରିଛି । ଏସିଆ ମହାଦେଶର ଦିତୀୟ ସର୍ବବୃହତ ରେଳ ଓ ସଡ଼କ ପୋଲ ଭାବେ ଏହି ବୋଗିବିଲି ବ୍ରିଜ୍ ୧୨୦ ବର୍ଷ ପର୍ଯ୍ୟନ୍ତ ତିଷ୍ଠି ରହିବ ।

ପ୍ରାଥମିକ ସ୍ତରରେ ଏହି ପ୍ରକଳ୍ପ ପାଇଁ ମୋଟ ୩୨୩୦.୦୨ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଏହା ୪,୮୫୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ହେଲେ କାର୍ଯ୍ୟ ଶେଷ ହେବା ବେଳକୁ ପ୍ରକଳ୍ପ ବ୍ୟୟ ରାଶି ପାଖାପାଖି ୬ ହଜାର କୋଟି ଟଙ୍କାରେ ପହଞ୍ଚିଥିବା କୁହାଯାଇଛି । ଭାରତ-ଚୀନ୍ ସୀମାରେ ପହଞ୍ଚିବା ପାଇଁ ଏକଦା ସେନା ପକ୍ଷରେ କଷ୍ଟଦାୟକ ସାବ୍ୟସ୍ତ ହୋଇଥିଲା ବେଳେ ବର୍ତ୍ତମାନ ଏହି ସମସ୍ୟା ରହିବ ନାହିଁ ବୋଲି ସରକାରୀ ସ୍ତରରେ କୁହାଯାଇଛି । ଯେଉଁଥିପାଇଁ ଏହି ପ୍ରକଳ୍ପକୁ ନେଇ ଚୀନ୍ ଏକ ପ୍ରକାର ଭୟଭୀତ ହୋଇପଡ଼ିଥିବା ଚର୍ଚ୍ଚା ହେଉଛି । ଏହା ବ୍ୟତୀତ ଆସାମର ଦିବ୍ରୁଗଡ଼ ସହର ଏବଂ ଅରୁଣାଞ୍ଚଳ ରାଜଧାନୀ ଇଟାନଗର ମଧ୍ୟରେ ସଡ଼କପଥରେ ୧୫୦ କିମି ହ୍ରାସ ପାଇବା ସହ ରେଳପଥରେ ପ୍ରାୟ ୭୦୫ କିମି କମିଯାଇଛି ।