ପିଲାଙ୍କ ସହ ଚିକେନ୍ ଖାଇ ଅଡ଼ୁଆରେ ପର୍ଯ୍ୟଟନ ମନ୍ତ୍ରୀ

ଭୁବନେଶ୍ୱର: ଆଦିବାସୀ ଅଧ୍ୟୁଷ୍ୟିତ ରାୟଗଡ଼ା ଜିଲ୍ଲାରେ ଏକଲବ୍ୟ ମଡେଲ୍ ସ୍କୁଲର ପିଲାମାନଙ୍କ ସହ ବସି ମଧ୍ୟାହ୍ନ ଭୋଜନରେ ଚିକେନ୍ ଖାଇବା ଏବେ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କୁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ମାତ୍ର ୨ଦିନ ନପୁରୁଣୁ କେଉଁ ପରିସ୍ଥିତିରେ ପିଲାମାନଙ୍କ ସହ ବସି ସରକାରୀ ଅନୁଷ୍ଠାନରେ ମଧ୍ୟାହ୍ନଭୋଜନରେ ଚିକେନ୍ ଖାଇଲେ ତାହା ଲିଖିତ ଭାବେ ଜଣାଇବାକୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ରାୟଗଡ଼ା ଜିଲ୍ଲାର ଏକଲବ୍ୟ ମଡେଲ୍ ସ୍କୁଲରେ ପିଲାମାନଙ୍କ ସହ ବସି ଚିକେନ୍ ଖାଇବା ଘଟଣା ଗଣମାଧ୍ୟମରେ ପ୍ରକାଶିତ ହେବାପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ୱର ସହ ନେଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ରିପୋର୍ଟ ତଲବ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପିଲାମାନଙ୍କ ସହ ବସି ଚିକେନ୍ ଖାଇବା ଘଟଣାରେ ଜଣେ ବ୍ଲକ୍ ଶିକ୍ଷା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବନ ହେବାକୁ ପଡ଼ିଥିବାବେଳେ ଅନୁରୂପ ଭୁଲ୍ ପାଇଁ ମନ୍ତ୍ରୀଙ୍କ ବିରୁଦ୍ଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ସୋଶାଲ ମିଡିଆ ଓ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଛି। ଏପରିକି ମନ୍ତ୍ରୀଙ୍କ ଏଭଳି ଆଚରଣ ପାଇଁ ସରକାରଙ୍କୁ ମଧ୍ୟ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ଏନେଇ ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ, ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ଗତକାଲି ଦିନିକିଆ ରାୟଗଡ଼ା ଗସ୍ତରେ ଯାଇ ପୂର୍ବତନ ସାଂସଦ ଝିନ୍ନ ହିକକାଙ୍କ ସହ ମିଶି ଏକଲବ୍ୟ ମଡେଲ୍ ସ୍କୁଲରେ ମଧ୍ୟାହ୍ନ ଭୋଜନ କରିଥିଲେ।