ପୁଣି ନିରାଶ ହେଲେ ନିରବ ମୋଦି

ଲଣ୍ଡନ: ପଳତାକ ଘୋଷିତ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ବ୍ରିଟେନ୍‌ର ଏକ କୋର୍ଟରେ ପୁଣିଥରେ ନିରାଶ ହେବାକୁ ପଡ଼ିଛି। ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ଋଣ ନେଇ ଫେରାର ହୋଇଯାଇଥିବା ନିରବ ମୋଦି ଜାମିନ୍‌ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି।

ଏବେ ସେ ସେପ୍ଟେମ୍ବର ୧୯ ଯାଏ ଜେଲରେ ରହିବେ। ବର୍ତ୍ତମାନ ଲଣ୍ଡନର ଏକ ଜେଲରେ ଥିବା ନିରବ ମୋଦି ଆଜି ଭିଡିଓ କନଫରେନ୍ସ ଜରିଆରେ କୋର୍ଟ ଆଗରେ ହାଜର ହୋଇଥିଲେ। ଏହି ସମୟରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ବିଚାରପତି ତାନ ଇକରାମ କହିଥିଲେ, “ଆପଣଙ୍କ ଆବେଦନର ଶୁଣାଣି ପରବର୍ତ୍ତୀ ତାରିଖରେ କରାଯିବ। ସେପ୍ଟେମ୍ବର ୧୯ରେ ଆପଣ ପୁଣିଥରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହେବେ। ସେତେଦିନ ଯାଏ ଆପଣଙ୍କୁ ଜେଲରେ ରହିବାକୁ ପଡ଼ିବ।”

ଏଥିସହ ବିଚାରପତି ଇକରାମ ଭାରତର ସରକାର ନିରବ ମୋଦିଙ୍କ ପ୍ରତ୍ୟର୍ପଣ ପାଇଁ କରିଥିବା ଆବେଦନର ଶୁଣାଣି ଆସନ୍ତା ୨୦୨୦ ମେ’ ୧୧ରୁ ୫ ଦିନ ଧରି କରାଯିବାର ପ୍ରସ୍ତାବ ମଧ୍ୟ ଦେଇଛନ୍ତି।

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କକୁ ୧୧ ହଜାର କୋଟି ଟଙ୍କାର ଚୂନ ଲଗାଇ ନିରବ ମୋଦି ୨୦୧୮ରେ ବ୍ରିଟେନ ଫେରାର ହୋଇଯାଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା। ସେବେଠାରୁ ସେ ଜେଲରେ ରହିଛନ୍ତି।