ଜଷ୍ଟିସ୍‌ ବି ପି ଦାସ ଓଏଚ୍‌ଆର୍‌ସି ଅଧ୍ୟକ୍ଷ, ସଦସ୍ୟ ଆଇନଜୀବୀ ଅସୀମ ଅମିତାଭ ଦାସ

ଭୁବନେଶ୍ୱର:ଦୀର୍ଘ ୭ ବର୍ଷ ପରେ ଓଡ଼ିଶା ମାନବାଧିକାର କମିଶନଙ୍କୁ ସ୍ଥାୟୀ ଅଧ୍ୟକ୍ଷ ମିଳିଛି । ବିଚାରପତି ବିମଳା ପ୍ରସାଦ ଦାସ ଓଏଚ୍‌ଆର୍‌ସିର ସ୍ଥାୟୀ ଅଧ୍ୟକ୍ଷଭାବେ ନିଯୁକ୍ତି ପାଇଛନ୍ତି । ସେହିପରି ଦକ୍ଷ ଆଇନଜୀବୀ ଅସୀମ ଅମିତାଭ ଦାଶ ଓଏଚ୍‌ଆର୍‌ସିର ସଦସ୍ୟ ହୋଇଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉଭୟଙ୍କ ନିଯୁକ୍ତିକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ଜଷ୍ଟିସ୍‌ ବିପି ଦାସ ପୂର୍ବରୁ ଶ୍ରୀମନ୍ଦିର ସଂସ୍କାର ଓ ଉନ୍ନତି ପାଇଁ ଗଠିତ ହୋଇଥିବା କମିଶନର ଅଧ୍ୟକ୍ଷ ଥିଲେ । ୨୦୧୫ ଶ୍ରୀଜିଉଙ୍କ ନିଳାଦ୍ରି ବିଜେ ବିଶୃଙ୍ଖଳା ହୋଇଥିଲା  । ଏହାପରେ ଶ୍ରୀମନ୍ଦିର ସଂସ୍କାର ପାଇଁ ୨୩ ଜୁଲାଇ ୨୦୧୬ରେ ଗଠିତ ହୋଇଥିଲା ଜଷ୍ଟିସ ବି.ପି ଦାସ କମିଶନ । ଶ୍ରୀଜୀଉଙ୍କ ନୀତିକାନ୍ତି ସେବାପୂଜା, ଶୃଙ୍ଖଳିତ ଦର୍ଶନ, ପରମ୍ପରା ସୁରକ୍ଷା, ସେବାୟତଙ୍କ ଆଚରଣ ଓ ଜଗନ୍ନାଥ ସଂସ୍କୃତିର ପ୍ରସାର ଓ ପ୍ରଶାସନିକ ସଂସ୍କାରକୁ ବିପି ଦାସ ଗୁରୁତ୍ୱ ଦେଇଥିଲେ ।

ଏଠାରେ ଉଲ୍ଲେଖ ଯୋଗ୍ୟ, ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଓଏଚ୍‌ଆର୍‌ସିର ଅଧ୍ୟକ୍ଷ ଓ ସଦସ୍ୟ ନିଯୁକ୍ତି ପାଇଁ ବୈଠକ ବସିଥିଲା । ଏଥିରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ଆଇନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟ ସରକାର ୩ ଜଣଙ୍କ ନାଁକୁ ସୁପାରିଶ କରିଥିଲେ ।