ଓ.ଏସ୍.ଡି.ଏମ୍.ଏ. ରେ ଖୋଲିବ ଭିନ୍ନକ୍ଷମଙ୍କ ପାଇଁ ସ୍ୱତନ୍ତ୍ର କକ୍ଷ

ଭୁବନେଶ୍ୱର: ବିପର୍ଯ୍ୟୟ ସମୟରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କର ବିଶେଷ ଆବଶ୍ୟକତାକୁ ଦୃଷ୍ଟିରେ ରଖି, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏକ ସ୍ୱତନ୍ତ୍ର କକ୍ଷ ବା Disabilities Cell ଖୋଲାଯିବ । ଏହି ପରିପ୍ରେକ୍ଷୀରେ ଆଜି ତା.୨୦.୦୮.୨୦୧୯ରିଖ ରେ ଓ.ଏସ୍.ଡି.ଏମ୍.ଏ. ର ସଭାଗୃହରେ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଓ.ଏସ୍.ଡି.ଏମ୍.ଏ. ର କର୍ମକର୍ତ୍ତା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କର୍ମକର୍ତ୍ତା ତଥା ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏସ୍.ଏମ୍.ଆର.ସି ଓ ସ୍ୱାଭିମାନର କର୍ମକର୍ତ୍ତାମାନେ ଅଂଶଗ୍ରହଣ କରିଥିଲେ । ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟଠୁ ଆରମ୍ଭ କରି ପୁନଃଥଇଥାନ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ଭିନ୍ନକ୍ଷମମାନଙ୍କର ସ୍ୱତନ୍ତ୍ର ଆବଶ୍ୟକତାକୁ ପ୍ରାଧାନ୍ୟ ଦେବା ଏହି କକ୍ଷର ପ୍ରାଥମିକତା ରହିବ । ଏହି କକ୍ଷଟି ଉଭୟ ସରକାରୀ ବିଭାଗ ଓ ବେସରକାରୀ ସଂସ୍ଥାମାନଙ୍କ ସହିତ ଯୋଗାଯୋଗ ରଖି ପଞ୍ଚାୟତସ୍ତର ଠାରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ବିଦ୍ୟାଳୟ ଓ ଅନୁଷ୍ଠାନମାନଙ୍କର ତାଲିକା ପ୍ରସ୍ତୁତି କରିବା ସହ କାର୍ଯ୍ୟ ଯୋଜନା ମଧ୍ୟ ପ୍ରସ୍ତୁତ କରିବ । ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟ ସମୟରେ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱେଚ୍ଛାସେବୀ, ଓଡ୍ରାଫ୍ ଦଳ ଏବଂ ଅନ୍ୟାନ୍ୟ ଉଦ୍ଧାରକାରୀ ଦଳଙ୍କୁ ତାଲିମ୍ ପ୍ରଦାନ କରାଯିବା ଏହି କକ୍ଷର ପ୍ରମୁଖ କାର୍ଯ୍ୟ ରହିବ । ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହିତ ବୟସ୍କ ବ୍ୟକ୍ତିମାନଙ୍କର ଆବଶ୍ୟକତାକୁ ପୂରଣ କରିବା ଏହି କକ୍ଷର ଅନ୍ୟ ଉଦ୍ଦେଶ୍ୟ ରହିବ । ଏହା ସହିତ ବହୁମୁଖୀ ବାତ୍ୟା/ବନ୍ୟା ଆଶ୍ରୟସ୍ଥଳୀଗୁଡ଼ିକରେ ଭିନ୍ନକ୍ଷମମାନଙ୍କର ଆବଶ୍ୟକତାକୁ ପୂରଣ କରାଯିବା ଏହାର ଆଉ ଏକ ମୁଖ୍ୟ ଉଦ୍ଦେଶ୍ୟ ରହିବ ।