ନ୍ୟାୟର ବିଜୟ ହୋଇଛି : ମୋଦି

ନୂଆଦିଲ୍ଲୀ: ୨୦୧୨ ରାଜଧାନୀ ଦିଲ୍ଲୀରେ ହୋଇଥିବା ନିର୍ଭୟା ଗଣଦୁଷ୍କର୍ମ ଘଟଣାର ପାଖାପାଖି ଦୀର୍ଘ ୮ ବର୍ଷ ପରେ ନ୍ୟାୟ ମିଳିଛି । ଶୁକ୍ରବାର ସକାଳ ୫.୩୦ରେ ତିହାର ଜେଲ ପରିସରରେ ୪ ଦୋଷୀଙ୍କୁ ଫାଶୀ ଦିଆଯାଇଛି । ତେବେ ନିର୍ଭୟାକୁ ନ୍ୟାୟ ପରେ ରାଜନୈତିକ ମହଲରୁ ପ୍ରତିକ୍ରିୟା ଆସିବାରେ ଲାଗିଛି । ନ୍ୟାୟର ବିଜୟ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନ୍ୟାୟର ବିଜୟ ହୋଇଛି । ମହିଳାମାନଙ୍କର ସମ୍ମାନ ଏବଂ ନିରାପତ୍ତା ନିଶ୍ଚିତ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆମର ନାରୀ ଶକ୍ତି ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛନ୍ତି । ମିଳିତ ଭାବରେ ଆମକୁ ଏକ ରାଷ୍ଟ୍ର ଗଠନ କରିବାକୁ ପଡିବ, ଯେଉଁଠାରେ ମହିଳା ସଶକ୍ତିକରଣ ସହ ସମାନତା ଏବଂ ସୁଯୋଗ ଉପରେ ଉପରେ ଧ୍ୟାନ ଦିଆଯାଇପାରିବ ।

ସେହିପରି କେନ୍ଦ୍ରୀୟ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହିଛନ୍ତି ଯେ, ଜଘନ୍ୟ ଅପରାଧ କରିଥିବା ସମସ୍ତ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି । ଏହା ଆହୁରି ଶିଘ୍ର ହୋଇପାରିଥାନ୍ତା ବୋଲି ପ୍ରତିକ୍ରିୟା ରଖିଛନ୍ତି ରବିଶଙ୍କର । କେନ୍ଦ୍ର ଗୃହମନ୍ତ୍ରୀ ଜି କିଶାନ ରେଡ୍ଡୀ କହିଛନ୍ତି ଯେ ଆଇପିସି (ଇଣ୍ଡିଆନ୍ ପେନାଲ କୋଡ୍)ରେ ଥିବା ସମସ୍ତ ଗଳାରାସ୍ତା ନିର୍ଭୟା ଘଟଣା ମାଧ୍ୟମରେ ପଦାକୁ ଆସିଛି । ଏପରି ମାମଲାରେ ଶୀଘ୍ର ଦଣ୍ଡ ଦିଆଯିବା ଉଚିତ୍ । ତେବେ ଭାରତ ସରକାର ଆଇପିସିରେ କିଛିଟା ପରିବର୍ତନ ଆଣିବାକୁ ଚାହୁଁଥିବା କହିଛନ୍ତି କିଶନ ରେଡ୍ଡୀ ।

ଅନ୍ୟପକ୍ଷେ ନ୍ୟାୟ ବିଳମ୍ବ ହୋଇଥିଲେ ବି ଶେଷରେ ଏହାକୁ ପ୍ରଦାନ କରାଯାଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । ଯେଉଁମାନେ ଭାବନ୍ତି ଯେ ସେମାନେ ମହିଳାଙ୍କ ବିରୁଦ୍ଧରେ ଅପରାଧ କରିପାରିବେ ଏବଂ ଆଇନରୁ ରକ୍ଷା ପାଇପାରିବେ, ସେମାନଙ୍କ ପାଇଁ ଏହା ଏକ ଉଚିତ ବାର୍ତ୍ତା ବୋଲି ସ୍ମୃତି ପ୍ରତିକ୍ରିୟା ଦେଇଛନ୍ତି । ସେପଟେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯିବା ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଛି । ସମସ୍ତଙ୍କ ମନରେ ନ୍ୟାୟ ବ୍ୟବସ୍ଥା ଉପରେ ବିଶ୍ୱାସ ଆହୁରି ବଢିଛି । ଲୋକେ ମିଷ୍ଠାନ୍ନ ବଂଟନ କରି ନିଜର ଖୁସି ଜାହିର କରିଛନ୍ତି ।