ବିଜେଡି ନେତ୍ରୀ ମିନାକ୍ଷୀଙ୍କ ମୃତ୍ୟୁ ମାମଲା: ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ

ଭୁବନେଶ୍ୱର: ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲା ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ପୋଲିସ ନିର୍ଦ୍ଦେଶକ । ଆଜି ଏସଂପର୍କରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଅଭୟ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦେଶ ଦେଇଥିବା ନେଇ କ୍ରାଇମ୍ ବ୍ରାଂଚ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଆଇଜି (ଆଧୁନିକୀକରଣ) ରେଖା ଲୋହାନିଙ୍କୁ ପ୍ରଦାନ କରାଯାଇଛି ବୋଲି ଏଥିରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନି ନିବାସୀ ମିନାକ୍ଷୀଙ୍କ ପୁଅ ରାଜାଙ୍କୁ ଗତମାସ ୨୮ତାରିଖରେ କିଛି ଯୁବକ ମରଣାନ୍ତକ ଆକ୍ରମଣ କରିଥିଲେ। ପୁଅକୁ ବଂଚାଇବାକୁ ଯାଇଥିବା ବେଳେ ମିନାକ୍ଷୀଙ୍କ ହାତରେ ମଧ୍ୟ ଖଣ୍ଡା ଚୋଟ ପଡ଼ିଥିଲା। ଆକ୍ରମଣରେ ଉଭୟ ମା-ପୁଅ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ଦୁଇଟି ପୃଥକ୍ ମାମଲା ରୁଜୁ କରିଥିଲା। ରାଜାଙ୍କୁ ଆକ୍ରମଣ କରିବା ଅଭିଯୋଗରେ ଗତ ୫ତାରିଖରେ ପୋଲିସ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେହିପରି ଅପର ଗୋଷ୍ଠୀର ମାମଲାକୁ ଭିତି କରି ୬ତାରିଖରେ ପୋଲିସ ରାଜାଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହା ମିନାକ୍ଷୀଙ୍କୁ ଗଭୀର ମାନସିକ ଆଘାତ ଦେଇଥିଲା।

ପୁଅକୁ ମିଥ୍ୟା ମାମଲାରେ ଫସାଇ ଦିଆଯାଇଥିବା ଅଭିଯୋଗ କରିବା ସହିତ ନ୍ୟାୟ ପ୍ରଦାନ ପାଇଁ ମିନାକ୍ଷୀ ପୋଲିସକୁ ଗୁହାରି କରିଥିଲେ। ଗତ ୧୨ତାରିଖରେ ସେ ଏସ୍‌.ପି. ପିନାକ ମିଶ୍ରଙ୍କୁ ସାକ୍ଷାତ କରିବାକୁ ତାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। କିନ୍ତୁ ଏସ୍‌.ପି. ଅନ୍ୟ କାମରେ ବ୍ୟସ୍ତ ଥିବାରୁ ଅଫିସ ଆସି ନ ଥିଲେ। ମିନାକ୍ଷୀ ଅନ୍ୟ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସାକ୍ଷାତ କରି ଫେରିବା ପରେ ଅଚାନକ ଏସ୍‌.ପି. ଅଫିସ ପରିସରରେ ଥିବା ସିସିଟିଏନ୍‌ଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ଦେହରେ କିରାସିନି ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ଫଳରେ ତାଙ୍କ ଶରୀରର ୮୦ରୁ ୯୦ ପ୍ରତିଶତ ଜଳି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଓ ପରେ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା। ମା’ଙ୍କ ଏଭଳି ସ୍ଥିତି ଯୋଗୁଁ କୋର୍ଟ ରାଜାଙ୍କ ଜାମିନ୍‌ ଆବେଦନ ଶୁଣାଣି କରି ମଞ୍ଜୁର କରିଥିଲେ। ଆସନ୍ତା ୨୫ତାରିଖ ପର୍ଯ୍ୟନ୍ତ କୋର୍ଟ ରାଜାଙ୍କୁ ଅନ୍ତରୀଣ ଜାମିନ୍‌ ପ୍ରଦାନ କରିଥି‌ଲେ। ଗତ ୧୪ତାରିଖରେ ମିନାକ୍ଷୀଙ୍କୁ କଟକ ଏସ୍‌ସିବିରେ ଉପଯୁକ୍ତ ଚିକିତ୍ସା ମିଳୁ ନ ଥିବା ଅନୁଭବ କରି ପରିବାର ଲୋକେ ତାଙ୍କୁ ଭୁବନେଶ୍ବରସ୍ଥିତ ସମ୍‌ ହସ୍ପିଟାଲରେ ଭର୍ତି କରିଥିଲେ। ତାଙ୍କ ନିକଟରେ ପୁଅ ରାଜା, ଝିଅ ଓ ଅନ୍ୟ ସମ୍ପର୍କୀୟମାନେ ରହି ଦେଖାରଖା କରୁଥିଲେ। ଚିକିତ୍ସା ପରେ ମିନାକ୍ଷୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିଲା। ତେବେ ସେଠାରେ ମିନାକ୍ଷୀଙ୍କର ମୃତ୍ୟୁ ଘଟିଥିଲା।