ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କଲେ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗରେ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିନ ରାଜ୍ୟରେ ଜାରିଥିବା ଲକଡାଉନ୍‌ ପ୍ରତିବନ୍ଧକକୁ ଆଗାମୀ ୩୦ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଆଜି ଅପରାହ୍ଣରେ ଘୋଷଣା କରିଛନ୍ତି। ଫଳରେ ପଶ୍ଚିମବଙ୍ଗରେ ଜୁନ୍‌ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ରହିବ।

ଉଲ୍ଲେଖଯୋଗ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୂର୍ବରୁ ଆଜି ପୂର୍ବାହ୍ଣରେ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା ମଧ୍ୟ ମିଜୋରାମରେ ଲକ୍‌ଡାଉନର ଅବଧିକୁ ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିବା ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶଦାତା କମିଟିର ଏକ ବୈଠକ ଅନୁଷ୍ଠିତ ହେବା ପରେ ମିଜୋରାମ ସରକାର ଲକ୍‌ଡାଉନ୍‌କୁ ୩୦ ଜୁନ୍‌ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ଏଥିସହ କରୋନା ଭାଇରସ୍‌ ପରିସ୍ଥିତିକୁ ଦୃଷ୍ଟିରେ ରଖି ମିଜୋରାମ ସରକାର ଜୁନ୍‌ ୯ରୁ ଦୁଇ ସପ୍ତାହ ପାଇଁ ସମଗ୍ର ରାଜ୍ୟରେ ସର୍ଟଡାଉନ ଜାରି କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ମିଜୋରାମ ସରକାରଙ୍କ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଖୁବ୍‌ ଶୀଘ୍ର ସର୍ଟଡାଉନ୍‌ ନିର୍ଦ୍ଦେଶାବଳୀ ସଂପର୍କରେ ରାଜ୍ୟବାସୀଙ୍କୁ ସୂଚିତ କରାଯିବ। ରାଜ୍ୟରେ କୋଭିଡ୍‌-୧୯ କ୍ୱାରେଣ୍ଟାଇନର ଅବଧିକୁ ମଧ୍ୟ ୧୪ ଦିନରୁ ୨୧ ଦିନକୁ ବୃଦ୍ଧି କରି ଦେଇଛନ୍ତି ମିଜୋରାମ ସରକାର।

ଏହା ପୂର୍ବରୁ, ଗତ ସପ୍ତାହରେ ମଣିପୁର ସରକାର ମଧ୍ୟ ରାଜ୍ୟରେ ଲକଡାଉନ୍‌ ଅବଧିକୁ ଜୁନ୍‌ ୩୦ ପର୍ଯ୍ୟନ୍ତ ବୃଦ୍ଧି କରଥିଲେ। ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍‌ ସିଂ ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିବା ସହ ଲକ୍‌ଡାଉନ୍‌ ପ୍ରତିବନ୍ଧକକୁ କୋଭିଡ୍‌-୧୯ର ପ୍ରତିଷେଧକ ବ୍ୟବସ୍ଥା ଭାବରେ ବର୍ଣ୍ଣନା କରିଥିଲେ।