ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ

ଭୁବନେଶ୍ୱର: ଆଜି ଓଡିଶାରେ ପହଁଚିଲେ ଆଣ୍ଡାମାନ ନିକୋବର ଦ୍ଵୀପପୁଞ୍ଜରେ ଫସିରହିଥିବା ୧୮୦ ଜଣ ଓଡ଼ିଆ | ଆଜି ଏୟାର ଏସିଆ ବିମାନରେ ଆଣ୍ଡାମାନ ଓ ନିକୋବରରୁ ପ୍ରବାସୀ ଓଡ଼ିଆ ଶ୍ରମିକମାନେ ଓଡିଶାରେ ପହଂଚିଛନ୍ତି | ବିମାନବନ୍ଦରରେ ପହଂଚିବା ପରେ ଏଠାରେ ବିଏମ୍‌ସି, କମିସନରେଟ୍‌ ପୁଲିସ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଠନ ହୋଇଥିବା ଟିମ୍‌ ସେମାନଙ୍କର ଥର୍ମାଲ୍‌ ସ୍କ୍ରିନିଂ କରିବା ସହ, ନାମ ପଞ୍ଜୀକରଣ କରିଥିଲା। ଏହାପରେ ହାତରେ ସଙ୍ଗରୋଧ ଷ୍ଟାମ୍ପ ଲଗାଇ ସେମାନଙ୍କ ଜିଲ୍ଲାକୁ ପଠାଇଥିଲା। ବିଭିନ୍ନ ଜିଲ୍ଲାକୁ ଯିବାକୁ ଥିବା ଶ୍ରମିକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବସ୍‌ର ଆୟୋଜନ କରାଯାଇଥିଲା।


ଏହା ପୂର୍ବରୁ ରାଜ୍ୟ ସରକାର ଗତ ତିନି ତାରିଖରେ ମଣିପୁର, ନାଗାଲାଣ୍ଡ, ତ୍ରିପୁରା, ମେଘାଳୟ, ଆସାମରେ ଫସି ରହିଥିବା ୨୮୦ରୁ ଅଧିକ ପ୍ରବାସୀ ଶ୍ରମିକଙ୍କୁ ରାଜ୍ୟ ସରକାର ଦୁଇଟି ବିମାନରେ ‌ଓଡ଼ିଶା ଫେରାଇ ଆଣିଥିଲେ। ଏହି ଯୋଜନାରେ ଆଜି ତିନିଟି ସ୍ୱତନ୍ତ୍ର ବିମାନରେ ଜମ୍ମୁ, କଶ୍ମୀର ଓ ହିମାଚଳ ପ୍ରଦେଶରେ ଫସି ରହିଥିବା ୩୧୦ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ରାଜ୍ୟ ସରକାର ଓଡ଼ିଶା ଫେରାଇ ଆଣିଛନ୍ତି। ରାଜ୍ୟ ସରକାରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଜମ୍ମୁ ଓ କଶ୍ମୀରର ଅନନ୍ତନାଗ, ରାଜୌରୀ, ପୁଞ୍ଚ, ଜମ୍ମୁ, ସାମ୍ବା ଜିଲ୍ଲାରେ ଏବଂ ହିମାଚଳ ପ୍ରଦେଶର କଙ୍ଗରା ଓ ଉନା ଜିଲ୍ଲାରେ ଫସି ରହିଥିବା ୩୫୦ରୁ ଅଧିକ ଶ୍ରମିକଙ୍କୁ ରାଜ୍ୟ ସରକାର ଏୟାର ଏସିଆ ବିମାନରେ ଓଡ଼ିଶା ଫେରାଇ ଆଣିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ-୧୯ କଟକଣା ଅନୁଯାୟୀ ପ୍ରବାସୀ ଓଡ଼ିଆ ମୁଖ୍ୟତଃ ଶ୍ରମିକମାନଙ୍କୁ ଆଜି ଅଣାଯାଇଥିଲା।