ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରୱାଲଙ୍କ ବିରୋଧରେ ଏଫଆଇଆର

ବେଙ୍ଗାଲୁରୁ:ଓୟୋ ହୋଟେଲ ଆଣ୍ଡ ହୋମ୍ସର ପ୍ରତିଷ୍ଠାତା ରିତେଶ ଅଗ୍ରୱାଲ ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଜଣେ ହୋଟେଲ ବ୍ୟବସାୟୀ ଓୟୋ ଉପରେ ଗତ ୫ ମାସରୁ ବକେୟା ଦେଇ ନଥିବା ଅଭିଯୋଗ କରିଛନ୍ତି । ବ୍ୟବସାୟୀ ଜଣଙ୍କ ଓୟୋ ଉପରେ ୩୫ ଲକ୍ଷ ଟଙ୍କାର ବକେୟା ଥିବା ଦାବି କରିଛନ୍ତି । ପୁଲିସ ଏହି ସୂଚନା ଦେଇଛି ।

ବେଙ୍ଗାଲୁରୁର ଡୋମଲର ଅଞ୍ଚଳରେ ଥିବା ହୋଟେଲ ରାସ୍କେଲ ଇନର ମାଲିକ ବେଟ୍‌ସ ଫର୍ନାଣ୍ଡିସଙ୍କ ଅଭିଯୋଗ ଅନୁସାରେ ଓୟୋ ତାଙ୍କ ହୋଟେଲର ରୁମ ବୁକ କରି ପ୍ରତିମାସରେ ୭ ଲକ୍ଷ ଟଙ୍କା ଦେବାର ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ମଇ ମାସରୁ ବକେୟା ଦେଇନାହିଁ ।

ଏଫଆଇଆରରେ ଓୟୋର ମୁଖ୍ୟ ରିତେଶ ଅଗ୍ରୱାଲଙ୍କ ସହ ସାଉଥ ହେଡ ରୋହିତ ଶ୍ରୀବାସ୍ତବ, ବିଜନେସ ଡେଭଲପମେଣ୍ଟ ହେଡ-ମାଧବେନ୍ଦ୍ର କୁମାର ଏବଂ ଗୌରବ ଡେ, ଫାଇନାନ୍ସ ଅଫିସର-ପ୍ରତୀକ ଅଗ୍ରୱାଲ, ମଞ୍ଜିତ ସିଂହ ଏବଂ ମ୍ରିମୋନୀ ଚକ୍ରବର୍ତ୍ତୀଙ୍କ ନାଁ ସାମିଲ ରହିଛି । ସମସ୍ତଙ୍କୁ ଗୁରୁବାର ଦିନ ତଦନ୍ତ ଅଧିକାରୀଙ୍କ ସାମ୍ନାରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହାଉପରେ ଓୟୋ ପକ୍ଷରୁ କୁହାଯାଇଛି ଯେ ଅଭିଯୋଗକାରୀଙ୍କ ବିରୋଧରେ କାଉଁଣ୍ଟର କମ୍ପ୍ଲେନ ରୁଜୁ କରାଯିବ । ସେ ଏକ ସିଭିଲ ମାମଲାକୁ ବଡ କରିଛନ୍ତି । ତାଙ୍କ ଅଭିଯୋଗ ଭୁଲ ଏବଂ ମାନହାନୀ ଦାବି କରିବୁ । ଆମ ଓକିଲ ଏହା ଉପରେ ନଜର ରଖିଛନ୍ତି ।