କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮କୋଟି ୫୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ବଡ଼ଦାଣ୍ଡର ଉନ୍ନତିକରଣ ପାଇଁ ୮ କୋଟି ୫୦ ଲକ୍ଷ ଟଙ୍କା ମଂଜୁର କରିଛନ୍ତି । ଆଜି ସଂନ୍ଧ୍ୟାରେ ଲୋକସେବା ଭବନର ସମ୍ମିଳନୀ କକ୍ଷରୁ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ଯୋଗେ କେନ୍ଦ୍ରାପଡା ସାଂସଦ, ବିଧାୟକ, ଜିଲ୍ଲାପାଳ, ମନ୍ଦିର ଟ୍ରଷ୍ଟ ଏବଂ ସେବାୟତମାନଙ୍କ ସହିତ ଏ ସମ୍ପର୍କରେ ବିସୃତ ଆଲୋଚନା କରିଥିଲେ ।

ସୂଚନାଯୋଗ୍ୟ, ଗତ ସ୍ନାନ ପୂର୍ଣ୍ଣିମା ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବଳଦେବଜୀଉଙ୍କ ମନ୍ଦିର ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ସେବାୟତ ଓ ଜନସାଧାରଣ ମନ୍ଦିରର ବିଭିନ୍ନ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ ।

ଆଜି ଅନୁଷ୍ଠିତ ଭିଡିଓ କନଫରେନସିଂରେ ବଳଦେବଜୀଉଙ୍କ ପୀଠ ତୁଳସୀ କ୍ଷେତ୍ରର ସର୍ବବିଧ ବିକାଶ କରି ଏହାକୁ ଏକ ଆକର୍ଷଣୀୟ ଧର୍ମୀୟ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।

ତଦନ୍ତଯାୟୀ, କେନ୍ଦ୍ରାପଡା ବଳଦେବଜୀଉ ମନ୍ଦିର ଓ ଏହାର ପରିସରକୁ ସୁଦୃଶ୍ୟ ଆଲୋକମାଳାରେ ସୁସଜ୍ଜିତ କରାଯିବା ସହିତ ବଡ଼ଦାଣ୍ଡର ଉନ୍ନତିକରଣ କରାଯାଇ ଏହାର ୨ ପାଶ୍ୱର୍କୁ ମଧ୍ୟ ସୁଦୃଶ୍ୟ ଆଲୋକମାଳାରେ ସଜ୍ଜିତ କରାଯିବ । ସେହିପରି କେନ୍ଦ୍ରାପଡାରେ ଏକ ଆଧ୍ୟାତ୍ମିକ ଉଦ୍ୟାନ ନିର୍ମାଣ କରାଯିବା ସହିତ ବଳଦେବଜୀଉ ଐତିହ୍ୟ ପୁଷ୍କରିଣୀର ମଧ୍ୟ ପୁନରୁଦ୍ଧାର କରାଯିବ । ବଳଦେବଜୀଉ ମନ୍ଦିରର ନିରାପତା, ସୁରକ୍ଷା ଏବଂ ଜଳ ନିଷ୍କାସନ ପ୍ରଣାଳୀକୁ ସମୁନ୍ନତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସ୍ଥିର କରାଯାଇଛି ।

ଏହିସବୁ ଉନ୍ନତିକରଣ କାର୍ଯ୍ୟା ଗୁଣାତ୍ମକ ମାନ ବଜାୟ ରଖିବା ସହିତ ଆସନ୍ତା ରଥଯାତ୍ରା ପୂର୍ବରୁ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ ଏହିସବୁ କାର୍ଯ୍ୟକ୍ରମର ସଫଳତା ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାବାସୀଙ୍କ ସହଯୋଗ ମଧ୍ୟ କାମନା କରିଥିଲେ । ସେବାୟତମାନଙ୍କ ପକ୍ଷରୁ ଏହି ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଦତଆଯାଇଥିଲା । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟାର, ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଓ ପୂର୍ତ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।