ନୂଆଦିଲ୍ଲୀ:ଦେଶରେ ପିଆଜ ଦର ଏବେ ଆକାଶ ଛୁଆଁ। ମହାରାଷ୍ଟ୍ର ଲାସଲଗାଁଓ ସ୍ଥିତ ପିଆଜ ମଣ୍ଡିରେ ଦର ବୃଦ୍ଧି ପାଇଛି। ପିଆଜ ଦର ହ୍ରାସ କରିବା ନେଇ ସରକାର ଆଶ୍ଵାସନା ଦେଇଥିଲେ ମଧ୍ୟ ଏହାର ଦୁଇ ଦିନ ପରେ ଅର୍ଥାତ୍ ଆଜି ପିଆଜ ଦାମ୍ ୧୦ ପ୍ରତିଶତ ବୃଦ୍ଧି ପାଇଛି।
ପିଆଜର ଦର ବୃଦ୍ଧି ନେଇ ଏବେ ଚିନ୍ତାରେ ସାଧାରଣ ଲୋକେ। ଖୁବ୍ ଶୀଘ୍ର ପିଆଜ କିଲୋ ପିଛା ୧୦୦ ଟଙ୍କା ଛୁଇଁବ ବୋଲି ଅନୁମାନ କରାଯାଉଛି। ଖୁଚୁରା ବଜାରରେ ପିଆଜ ଦର ଏବେ ୭୦ରୁ ୮୦ ଟଙ୍କା ମଧ୍ୟରେ ରହିଛି। ଏ ନେଇ ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଚଳିତ ବର୍ଷ ଖୁବ୍ କମ୍ ପିଆଜ ଉତ୍ପାଦନ ହୋଇଛି। ତେଣୁ ପିଆଜ ଦାମ୍ ବୃଦ୍ଧି ପାଇଛି। ପ୍ରବଳ ବର୍ଷା କାରଣରୁ ପିଆଜ ଫସଲ ଉପରେ ଏହାର ପ୍ରଭାବ ପଡିଛି। ଏତଦ୍ ବ୍ୟତୀତ ପିଆଜ ଦାମ୍ ବୃଦ୍ଧି ପାଇଁ ଅତିରିକ୍ତ ବ୍ୟବସାୟୀ ଓ ସରକାରଙ୍କ ପ୍ରତିକୂଳ ନୀତିକୁ ଦାୟୀ କରାଯାଇଛି।
ଲାସଲଗାଁଓର ବିପଣନ ସମିତି ଅଧ୍ୟକ୍ଷ କହିଛନ୍ତି ଯେ, ଅକ୍ଟୋବର ଏବଂ ନଭେମ୍ବରରେ ପ୍ରବଳ ବର୍ଷା ହୋଇଥିଲା। ଏହି କାରଣରୁ ଖରିଫ ଫସଲ ନଷ୍ଟ ହୋଇଥିଲା। ଆନ୍ଧ୍ରପ୍ରଦେଶ ଏବଂ କର୍ଣ୍ଣାଟକ ସହିତ ଦକ୍ଷିଣ ଭାରତୀୟ ରାଜ୍ୟରେ ପିଆଜ ଫସଲ ନଷ୍ଟ ହୋଇଛି। ଏହି କାରଣରୁ ପିଆଜ ଦର ଏବେ ଆକାଶ ଛୁଆଁ ରହିଛି।