କେନ୍ଦ୍ରାପଡା:ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ବିରୋଧରେ ଥାନାରେ ଏତଲା । ପୁଣି ଏତଲା ଦେବାର ୪ ଦିନ ବିତି ଯାଇଥିଲେ ମଧ୍ୟ ଚୁପ୍ ବସିଛି କେନ୍ଦ୍ରାପଡ଼ା ଥାନା ପୋଲିସ୍ । ଡେରାବିଶ୍ ବ୍ଲକ୍ ନହଙ୍ଗ ସମିତି ସଭ୍ୟ, କ୍ଷେତ୍ରବାସୀ ନାୟକଙ୍କ ସ୍ତ୍ରୀଙ୍କୁ ଘରେ ପଶି ଆକ୍ରମଣ କରିଥିବା ଅଭିଯୋଗରେ ବିଧାୟକ ବେଦପ୍ରକାଶ ଅଗ୍ରୱାଲଙ୍କ ସମେତ ୯ ଜଣଙ୍କ ନାଁରେ ଗତ ୨୪ ତାରିଖରେ ନିକିରାଇ ଥାନାରେ ଅଭିଯୋଗ ହୋଇଥିଲା । ପୁଣି ଡାକ ଯୋଗେ, କେନ୍ଦ୍ରାପଡ଼ା ସଦର ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି କ୍ଷେତ୍ରବାସୀ । କିନ୍ତୁ ନିକିରାଇ ଥାନା ପୋଲିସ୍ କିମ୍ବା ସଦର ଥାନା ପୋଲିସ୍ ଏଯାଏଁ କିଛି ବି ପଦକ୍ଷେପ ନେଇନାହାନ୍ତି । ସେପଟେ ସମିତିସଭ୍ୟ କ୍ଷେତ୍ରବାସୀଙ୍କୁ ବାସଭବନକୁ ଡାକି ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି ବିଧାୟକ ଓ ତାଙ୍କ ସମର୍ଥକ । ଡେରାବିଶ ବିଡିଓ ସରୋଜକାନ୍ତ ଦାସଙ୍କ ଉପସ୍ଥିତିରେ ସରପଞ୍ଚ ଓ ବିଧାୟକଙ୍କ କିଛି ସମର୍ଥକ, କ୍ଷେତ୍ରବାସୀଙ୍କୁ ଅଭିଯୋଗ ଉଠାଇ ନେବାକୁ କହିଥିଲେ । ନଚେତ୍ ଜୀବନରେ ମାରିଦେବାକୁ ଧମକ ଦେଇଛନ୍ତି । କ୍ଷେତ୍ରବାସୀ ତାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରୁଛନ୍ତି । ତୁରନ୍ତ ଅଭିଯୁକ୍ତମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ, ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଚେତାବନୀ ଦେଇଛନ୍ତି କ୍ଷେତ୍ରବାସୀ ନାୟକ ।