ବନ୍ୟା ପରିଚାଳନା ନିୟମକୁ ମାନୁନି ଛତିଶଗଡ, ସିଡବ୍ଲ୍ୟୁ ସି ପାଖରେ ଫେରାଦ ହେବେ ଓଡିଶା

ଭୁବନେଶ୍ବର:ପୁଣି ଦେଜିଛି ମହାନଦୀ ଜଳ ବିବାଦ ପ୍ରସଂଗ । ଖରା ଦିନେ ମହାନଦୀକୁ ପାଣି ଛାଡୁ ନଥିବା ଛତିଶଗଡ ଏବେ ନିଜ ଇଛାରେ ପାଣି ଛାଡିବାକୁ ନେଇ ଆଗକୁ ବଢିଛି ବିବାଦ । ବେଆଇନ ବ୍ୟାରେଜ ନିର୍ମାଣ କରିଥିବା ଛଡିଶଗଡ ଓଡିଶାକୁ ନଜଣାଇ କଲମା ବ୍ୟାରେଜ ଗେଟ ଖୋଲିଛି । ଏହା ଉପରେ ଆପତ୍ତି ଉଠାଇଛି ଓଡିଶା । ଏନେଇ ସିଡବ୍ଲ୍ୟୁ ସି ପାଖରେ ଫେରାଦ ହେବ ବୋଲି ରାଜ୍ୟସରକାର କହିଛନ୍ତି । ସେପଟେ ଏହାକୁ ନେଇ ରାଜ୍ୟରେ ବିଜେପି ଓ ବିଜେଡି ମୁହାଁ ମୁହିଁ ହୋଇଛନ୍ତି ।

ଉଭୟ ରାଜ୍ୟର ବୈଠକର ନିଷ୍ପତ୍ତିକୁ ମାନୁନି ଛତିଶଗଡ । ରାଜ୍ୟ ରାଜ୍ୟ ଭିତରେ ଥିବା ବନ୍ୟା ପରିଚାଳନା ନିୟମକୁ ବି ଫୁ କରିଦେଉଛି । ଓଡିଶାକୁ ନଜାଣାଇ ମୈସୁମୀରେ କଲମା ବ୍ୟାରେଜକୁ ପାଣି ଛାଡିଛି ଛତିଶଗଡ । ଆଉ ଛତିଶଗଡର ଏପରି ଏକ ପାଖିଆ ନିଷ୍ପତ୍ତିକୁ  ବିରୋଧ କରିଛି ଓଡିଶା । ଏହାର ପ୍ରତିବାଦରେ ଓଡିଶା ସିଡବ୍ଲ୍ୟୁ ସି ପାଖରେ ଫେରାଦ ହେବ ବୋଲି କହିଛନ୍ତି ରାଜ୍ୟ ସରକାର । ମହାନଦୀ ଜଳକୁ ନେଇ ଛତିଶଗଡ ଓ ଓଡିଶା ଭିତରେ ବିବାଦ ଚାଲିଛି । ଏଭଳି ସ୍ଥିତିରେ  ବର୍ଷା ଦିନେ ମହାନଦୀରେ ବନ୍ୟା ପରିଚାଳନା ଲାଗି ଦୁଇ ରାଜ୍ୟ ଭିତରେ ଗତ ମେ ମାସରେ ଉଚ୍ଚ ସ୍ତରୀୟ ବୈଠକ ବସିଥିଲା । ପାଣି ଛାଡିବା ପୂର୍ବରୁ ଛତିଶଗଡ ,ଓଡିଶାକୁ ଜଣାଇବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା । ହେଲେ ନିଛ୍ପତ୍ତିକୁ ବେଖାତିର କରି  କଲମା ବ୍ୟାରେଜରୁ ପାଣିଛାଡିଛି । ଏହା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ଜଳସଂପଦ ବିଭାଗ ସଚିବ । ଏନେଇ ରାଜ୍ୟସରକାର  ସିଡବ୍ଲ୍ୟୁ ସି ସହ କଥା ହେବେ ବୋଲି କହିଛନ୍ତି ଜଳ ସଂପଦ ବିଭାଗ ସଚିବ ପ୍ରଦୀପ କୁମାର ଜେନା ।

ଅଣ ମୈସୁମୀ ସମୟରେ ମହା ନଦୀ ପ୍ରସଂଗରେ ମୁହାଁ ମୁହିଁ ହୋଇଥିବା ରାଜ୍ୟର ବିଜେପି ଓ ବିଜେଡି ପୁଣି ଥରେ ଦୋଷ ଲଦା ଲଦି ହୋଇଛନ୍ତି । ଖରାଦିନେ ମହାନଦୀରେ ପାଣିଛାଡି ଓଡିଶା ଲୋକଙ୍କ ତଣ୍ଟି ଶୁଖାଇ ଥିବା ଛତିଶଗଡର ଏପରି କାମ ଏବେ ଓଡିଶାକୁ ଭସାଇବ ବୋଲି କହିଛି ବିଜେଡି । ତେଣୁ କେନ୍ଦ୍ରସରକାର ଏହା ଉପରେ ହସ୍ତକ୍ଷେପ କରିବା କଥା ,ତାହା କରୁ ନାହାନ୍ତି ।  ଛତିଶଗଡରେ ବିଜେପି ସରକାର ଥିବାରୁ ରାଜ୍ୟ ବିଜେପି ବି ଆଭିମୁଖ୍ୟ ସ୍ପଷ୍ଟ କରୁନି । ସେପଟେ ଶାଶକ ଦଳର ଏପରି ଅଭିଯୋଗକୁ ଖଣ୍ଡନକରି ବିଜେପି କହିଛି ସରକାର ମହାନଦୀକୁ ନେଇ ରାଜନିତୀ କରୁଛନ୍ତି ।

ମହାନଦୀ  ବିବାଦକୁ ନେଇ  ଓଡିଶା ଆଇନଗତ ଲଢେଇ ଲଢୁଛି । ହେଲେ ଛତିଶଗଡ ଏସବୁକୁ ନମାନିବା ଓଡିଶା ପାଇଁ ସମସ୍ୟା ସୃଷ୍ଟି କରୁଛି । ଏବେ ଯଦି ସିଡବ୍ଲ୍ୟୁ ସି ହସ୍ତକ୍ଷେପ ନକରେ ତେବେ ମୈସୁମୀରେ ମହାନଦୀର ତଳମୁଣ୍ଡରେ ବନ୍ୟା ସ୍ଥିତି ଦେଖାଦେବା ନିଶ୍ଚିତ ।