ଅଟଳ ଇନକ୍ୟୁବେଶନ ସେଂଟର-ନାଳନ୍ଦା ପକ୍ଷରୁ ନ୍ୟାଶନାଲ୍ ସୋଲାର ଏନର୍ଜି କନକ୍ଲେଭ୍‌-୨୦୨୦ ଅନୁଷ୍ଠିତ

ଭୁବନେଶ୍ୱର : ଭୁବନେଶ୍ୱରସ୍ଥିତ ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ଓଡ଼ିଶାର ପ୍ରଥମ ଅଟଳ ଇନକ୍ୟୁବେଶନ୍ ସେଂଟର । ଏହା ଭାରତ ସରକାରଙ୍କ ନୀତି ଆୟୋଗର ଅଟଳ ଇନୋଭେଶନ ମିଶନ ଦ୍ୱାରା ପରିଚାଳିତ ହେଉଛି । ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ପକ୍ଷରୁ ପୂର୍ବାଂଚଳର ଷ୍ଟାର୍ଟଅପ୍ ଗୁଡ଼ିକୁ ଇନକ୍ୟୁବେଶନ୍ ସହାୟତା ଯୋଗାଇ ଦିଆଯିବା ସହିତ ଯୁବବର୍ଗଙ୍କ ମଧ୍ୟରେ ଇନୋଭେଶନ୍ ଏବଂ ଉଦ୍ୟୋଗୀକ ଉତ୍ସାହ ବୃଦ୍ଧି କରାଇବା ଉଦ୍ୟମ ହୋଇଥାଏ । ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ପକ୍ଷରୁ ନ୍ୟାଶନାଲ୍ ସୋଲାର ଏନର୍ଜି କନକ୍ଲେଭ୍‌୨୦୨୦ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଖ୍ୟାତି ସମ୍ପନ୍ନ ପ୍ରତିଷ୍ଠାନ, ଅଗ୍ରଣୀ ଅନୁଷ୍ଠାନ, ଏକାଡେମିସିଆନ୍‌, ଇଣ୍ଡଷ୍ଟ୍ରି ବିଶେଷଜ୍ଞ, ନିବେଶକ, ଇନୋଭେଟର ଏବଂ ଉଦ୍ୟୋଗୀ ଯୋଗଦେଇ ଭାରତକୁ ଶକ୍ତିକ୍ଷେତ୍ରରେ କିଭଳି ଅକ୍ଷୟ ଶକ୍ତି ଉତ୍ସ ସହାୟତାରେ ଆତ୍ମନିର୍ଭର କରାଯିବ ସେ ନେଇ ବିସ୍ତୃତ ଆଲୋଚନ ହୋଇଥିଲା । ଏହି ସମ୍ମିଳନୀ ଡିସେମ୍ବର ୧ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ସମ୍ମିଳନୀରେ ପ୍ୟାନେଲ ଆଲୋଚନା, ରାଉଣ୍ଡ ଟେବୁଲ୍ ସେମିନାର, ଫାୟାର ସାଇଡ୍ ଚାଟ୍‌, ପିଚିଫେଷ୍ଟ୍‌, ମାଷ୍ଟର କ୍ଲାସ୍ ଆଦି କାର୍ଯ୍ୟକ୍ରମ ସମ୍ପନ୍ନ ହେବ ।
ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତର ବିଶେଷଜ୍ଞ, ଷ୍ଟାର୍ଟଅପ୍ ଏବଂ ବିଭିନ୍ନ ଅନୁଷ୍ଠାନରୁ ଏକାଡେମିସିଆନ୍ ଯୋଗଦେଇଥିଲେ । ଇଂଟରନ୍ୟାଶନାଲ ସୋଲାର ଆଲାଏନ୍ସ୍‌ର ମହାନିର୍ଦ୍ଦେଶକ ଉପେନ୍ଦ୍ର ତ୍ରିପାଠୀ ସମ୍ମିଳନୀରେ ଯୋଗଦେଇ ସୌରଶକ୍ତିର ଉପଯୋଗୀତା ସମ୍ପର୍କରେ ଆଲୋକପାତ କରିଥିଲେ । ଭାରତରେ ଆଗାମୀ ଦିନରେ ୱାଲ୍ଡ୍ ସୋଲାର ଇନଭେଷ୍ଟମେଂଟ ସମ୍ମିଳନୀ ଅନୁଷ୍ଠିତ ହେବା ନେଇ ସେ ସୂଚନା ଦେଇଥିଲେ ।
ଗୁଜରାଟ ସରକାରଙ୍କ ପୂର୍ବତନ ଅତିରିକ୍ତ ମୁଖ୍ୟ ସଚିବ ମହେଶ୍ୱର ସାହୁ ଏହି ସମ୍ମିଳନୀରେ ଯୋଗଦେଇ ଅଟଳ ଇନକ୍ୟୁବେଶନ୍ ସେଂଟର-ନାଳନ୍ଦା ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ ପକ୍ଷରୁ ସୌର ଶକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ଗୁଡ଼ିକୁ ଆବଶ୍ୟକ ସହାୟତା ଯୋଗାଇ ଦେଉଥିବା ନେଇ ଗୁରୁତ୍ୱାରୋପ
କରିଥିଲେ । ଓରେରା ଅଧ୍ୟକ୍ଷ ସିଦ୍ଧାର୍ଥ ଦାସ କାର୍ବନ ସିକ୍ୱେଷ୍ଟ୍ରେଶନ୍ ପ୍ରୋଜେକ୍ଟ ଉପରେ ତଥ୍ୟ ଭିତିକ ଉପସ୍ଥାପନା କରିଥିଲେ । ଏହି ଅବସରରେ ପ୍ରଫେସର ସରୋଜ କୁମାର ନାୟକ ଦାମନଯୋଡ଼ିର ଆଧିବାସୀ ଗାଁ ଗୁଡ଼ିକର ଆଲୋକୀକରଣ ସୌର ଶକ୍ତି ଦ୍ୱାରା କରାଯାଉଥିବା ସମ୍ପର୍କରେ ସୂଚିତ କରିଥିଲେ । ଡ.ତପନ କୁମାର ଚାନ୍ଦ ଭାରତ ପୃଥିବୀରେ ତୃତୀୟ ସୌରଶକ୍ତି ଉତ୍ପାଦନ କରୁଥିବା ରାଷ୍ଟ୍ରର ମାନ୍ୟତା ହାସଲ କରିଥିବା ସମ୍ପର୍କରେ ସୂଚିତ କରିଥିଲେ । ଏହି ଅବସରରେ ଏଆଇସି-ନାଳନ୍ଦା ଏବଂ ଓଡ଼ିଶା କର୍ପୋରେଟ ଫାଉଣ୍ଡେଶନ ମଧ୍ୟରେ ଚୁକ୍ତି କରାଯାଇଥିଲା । ଏହି ଅବସରରେ ଇନକ୍ୟୁବେଶନ୍ ମ୍ୟାନେଜର ଦୁର୍ଗା ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ ।