ହାଫିଜ ସୟିଦର ଶାଳକ ମାକି ଗିରଫ

ଇସଲାମାବାଦ : ବିଶ୍ୱ ଆତଙ୍କବାଦୀ ଘୋଷିତ ହାଫିଜ ସୟିଦର ଶାଳକ ତଥା ୨୬/୧୧ ମୁମ୍ବଇ ଆକ୍ରମଣର ମୋଷ୍ଟ ୱଣ୍ଟେଡ ଆତଙ୍କବାଦୀ ଅବଦୁଲ ରହମାନ ମାକିକୁ ପାକିସ୍ତାନ ପୁଲିସ୍‍ ବୁଧବାର ଗିରଫ କରିଛି। ପାକିସ୍ତାନ ପଞ୍ଜାବ ପ୍ରଦେଶର ଗୁଜରାନୱାଲା ଅଞ୍ଚଳରୁ ମାକିକୁ ଗିରଫ କରାଯାଇଛି। ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଜମାତ ଉଦ ଦାବା (ଜେୟୁଡି), ଫଲାହ-ଇ- ଇନସାନିୟତ ଫାଉଣ୍ଡେସନ (ଏଫଆଇଏଫ) ଏବଂ ଜୈଶ-ଇ-ମହମ୍ମଦ (ଜେଇଏମ) ସହ ସମ୍ପୃକ୍ତ ୧୧ ସଂଗଠନ ଉପରେ ପାକିସ୍ତାନ ସରକାର ପ୍ରତିବନ୍ଧକ ଲଗାଇବାର କିଛି ଦିନ ପରେ ମାକିକୁ ଗିରଫ କରାଯାଇଛି। ମାକି ମୁଣ୍ଡ ଉପରେ ପ୍ରାୟ ୧୩ କୋଟି ଟଙ୍କା (୨୦ ଲକ୍ଷ ଡଲାର) ପୁରଷ୍କାର ରହିଛି। ମାକି ତାଲିବାନ ମୁଖ୍ୟ ମୌଲାନା ଉମର ଏବଂ ଅଲକାଏଦା ମୁଖ୍ୟ ଅଲ ଜୱାହିରିର ବହୁ ଘନିଷ୍ଠ ଅଟେ।
ମାକି ଗୁଜରାନୱାଲାରେ ପାକିସ୍ତାନ ସରକାରଙ୍କ ବିରୋଧରେ ଭାଷଣ ଦେଉଥିଲା। ସେ ନିଜ ଭାଷଣରେ ଉପରୋକ୍ତ ସଂଗଠନଗୁଡ଼ିକ ଉପରେ ସରକାରଙ୍କ ପ୍ରତିବନ୍ଧକକୁ ସମାଲୋଚନା କରିଥିଲା। ଏହାସହ ମାକି ଜେୟୁଡ଼ି, ଏଫଆଇଏଫ, ଜେଇଏମ ସଂଗଠନଗୁଡ଼ିକ ପାଇଁ ପାଣ୍ଠି ସଂଗ୍ରହ କରୁଥିଲା। ମାକିକୁ ଏବେ ଲାହୋର ଜେଲରେ ରଖାଯାଇଛି। ଆତଙ୍କବାଦୀ ସଂଗଠନ ଜମାତ ଉଦ ଦାବାରେ ମାକିର ଦବଦବା ରହିଛି। ଏହି ସଂଗଠନର ସେ ଦ୍ୱିତୀୟ ଶୀର୍ଷ ନେତା ଭାବେ ଜଣାଶୁଣା। ପୁନେର ଜର୍ମାନୀ ବେକରି ଆତଙ୍କବାଦୀ ବିସ୍ଫୋରଣରେ ମାକିର ହାତ ଥିଲା। ଭାରତର ଦାବି ଅନୁସାରେ ଆମେରିକା ମାକିକୁ ଆତଙ୍କବାଦୀ ଘୋଷଣା କରିଛି। ଏହାପରେ ବି ମାକି ପାକିସ୍ତାନରେ ଖୋଲାଖୋଲି ବୁଲୁଥିଲା ଓ ଭାରତ ବିରୋଧ ଭାଷଣମାନ ଦେଇ ଆସୁଥିଲା।