ପ୍ରଥମ ଓଡ଼ିଆ ମହିଳା ଭାବେ ‘ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର’ ପାଇବେ ପ୍ରଫେସର ଜ୍ୟୋତିର୍ମୟୀ ଦାଶ

ଜଗତସିଂହପୁର: ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ। ଦେଶର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର ‘ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଜ୍ୟୋତିର୍ମୟୀଙ୍କୁ ମନୋନୀତ କରାଯାଇଛି। ଏହି ସମ୍ମାନଜନକ ପୁରସ୍କାର ପାଇବାରେ ଜ୍ୟୋତିର୍ମୟୀ ହେଉଛନ୍ତି ପ୍ରଥମ ଓଡ଼ିଆ ମହିଳା ବୈଜ୍ଞାନିକ। ରସାୟନ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।

ଜ୍ୟୋତିର୍ମୟୀଙ୍କ ସମେତ ଦେଶର ୧୨ ଜଣ ବୈଜ୍ଞାନିକ ଏହି ପୁରସ୍କାର ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସେମାନଙ୍କୁ ପୁରସ୍କୃତ କରିବେ। ପୁରସ୍କାର ବାବଦରେ ସେମାନଙ୍କୁ ୫ ଲକ୍ଷ ଟଙ୍କାର ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯିବ।

ଓଡ଼ିଶାର ଜଗତସିଂହପୁର ଜିଲ୍ଲା ଉପକଣ୍ଠ ମାଣପୁର ପଳଦାରେ ଜ୍ୟୋତିର୍ମୟୀଙ୍କ ଜନ୍ମ। ତାଙ୍କ ବାପା ବସନ୍ତ ଦାଶ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ମା’ ହେଉଛନ୍ତି ଶିକ୍ଷୟିତ୍ରୀ। ମାଣପୁରର ଯୋଗେନ୍ଦ୍ର ନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ସ୍କୁଲ ଜୀବନ ଆରମ୍ଭ କରିଥିଲେ ଜ୍ୟୋତିର୍ମୟୀ। ଏହାପରେ ତରିକୁନ୍ଦ ହାଇସ୍କୁଲରୁ ଦଶମ ପାସ୍ କରି ଜଗତସିଂହପୁରର ସ୍ଵାମୀ ବିବେକାନନ୍ଦ କଲେଜରେ ବିଏସ୍‌ସି ପଢ଼ିଥିଲେ।

ପରେ କଟକର ରେଭେନ୍ସା ବିଶ୍ଵବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ। ସେଠାରୁ ଆଇଆଇଟି କାନପୁରରୁ ସିନ୍ଥେଟିକ୍ ଅର୍ଗାନିକ୍ କେମେଷ୍ଟ୍ରିରେ ପିଏଚ୍‌ଡି କରିଥିଲେ।

ଏହାପରେ ଜ୍ୟୋତିର୍ମୟୀ ପୋଷ୍ଟ ଡକ୍ଟରାଲ୍ ଗବେଷଣା ଶେଷ କରିଥିଲେ। ଗବେଷଣା ଶେଷ କରିବା ପରେ ସେ ୨୦୦୯ରେ କୋଲକାତାର ଆଇଜର୍‌ରେ ସହାୟକ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ। ସେଠାରେ ୪ ବର୍ଷ କାମ କରିବା ପରେ ୨୦୧୨ରେ ସେ କୋଲକାତାର ଇଣ୍ଡିଆନ ଆସୋସିଏସନ୍ ଫର୍ ଦି କଲ୍‌ଟିଭେସନ ଅଫ୍ ସାଇନ୍ସ(ଆଇଏସିଏସ୍)ରେ ସହାୟକ ପ୍ରଫେସର ଭାବେ ଯୋଗ ଦେଇଥିଲେ। ବର୍ତ୍ତମାନ ସେ ଆଇଏସିଏସ୍‌ରେ ରସାୟନ ବିଜ୍ଞାନ ବିଭାଗର ପ୍ରଫେସର ଭାବେ କାର୍ଯ୍ୟରତ।

ଜ୍ୟୋତିର୍ମୟୀଙ୍କୁ ‘ଶାନ୍ତିସ୍ଵରୂପ ଭଟ୍ଟନାଗର ପୁରସ୍କାର’ ପାଇଁ ଚୟନ କରାଯିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ଜ୍ୟୋତିର୍ମୟୀଙ୍କ ଏହି ସଫଳତା ପାଇଁ ଜଗତସିଂହପୁର ଜିଲ୍ଲା ତଥା ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।