ଆଜି ନ୍ୟାସନାଲ କନଫ୍ରେନ୍ସର ୧୫ ଜଣିଆ ଟିମ ଫାରୁକ-ଉମରଙ୍କୁ ଭେଟିବେ

ନୂଆଦିଲ୍ଲୀ: ନ୍ୟାସନାଲ କନଫ୍ରେନ୍ସର ଏକ ଟିମ ନିଜର ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଓ ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ରବିବାର ଭେଟିବେ । ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପିତା-ପୁତ୍ର ଗୃହବନ୍ଦୀ ଅଛନ୍ତି । ଦଳୀୟ ନେତାମାନେ ଫାରୁକ ଅବଦୁଲା ଓ ଉମର ଅବଦୁଲ୍ଲାଙ୍କୁ ଭେଟିବା ପାଇଁ ରାଜ୍ୟପାଳ ସତ୍ୟପାଲ ମଲିକ ଅନୁମତି ଦେଇଛନ୍ତି । 

ନ୍ୟାସନାଲ କନଫ୍ରେନ୍ସର ୧୫ ଜଣିଆ ସଦସ୍ୟ ଶିଷ୍ଠମଣ୍ଡଳ ଜମ୍ମୁ ରାଜ୍ୟ ଅଧ୍ୟକ୍ଷ ଦେବେନ୍ଦ୍ର ସିଂହ ରାଣାଙ୍କ ନେତୃତ୍ୱରେ ଗୃହବନ୍ଦୀ ପିତା-ପୁତ୍ରଙ୍କୁ ଭେଟିବେ । ୮୧ ବର୍ଷିଅ ଫାରୁକ ଅବଦୁଲ୍ଲା ଶ୍ରୀନଗରସ୍ଥିତ ନିଜର ନିବାସରେ ଗୃହବନ୍ଦୀ ଅଛନ୍ତି । ଉମର ଅବଦୁଲ୍ଲାଙ୍କୁ ରାଜ୍ୟ ଅତିଥି ଭବନରେ ରଖାଯାଇଛି । 

ପାର୍ଟି ମୁଖପାତ୍ର ମଦନ ମଣ୍ଟୁ କହିଛନ୍ତି, ଶିଷ୍ଟମଣ୍ଡଳରେ ପାର୍ଟିର ଅନେକ ପୂର୍ବତନ ବିଧାୟକ ଅଛନ୍ତି । ଏମାନେ ସମସ୍ତେ ଇଣ୍ଡିଗୋ ବିମାନରେ ଜମ୍ମୁ ଯିବେ । ସେ କହିଛନ୍ତି ଶିଷ୍ଟମଣ୍ଡଳ ରାଜ୍ୟପାଳଙ୍କୁ ଭେଟି ଦଳର ବରିଷ୍ଠ ନେତାଙ୍କୁ ଭେଟିବା ପାଇଁ ଅନୁମତି ମାଗିଥିଲା । ରାଜ୍ୟପାଳ ସତ୍ୟପାଳ ମଲିକ ଅନୁମତି ଦେଇଛନ୍ତି । 

ସୂଚନାଯୋଗ୍ୟ ଜମ୍ମୁ କଶ୍ମୀର ପ୍ରଶାସନ ଶନିବାର ନ୍ୟାସନାଲ କନଫ୍ରେନ୍ସ ନେତାଙ୍କ ଶିଷ୍ଟମଣ୍ଡଳକୁ ପାର୍ଟି ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଓ ଉପାଧ୍ୟକ୍ଷ ଉମର ଅବଦୁଲ୍ଲାଙ୍କୁ ଭେଟିବା ପାଇଁ ଜମ୍ମୁରୁ ଶ୍ରୀନଗର ଯିବାକୁ ଅନୁମତି ଦେଇଛନ୍ତି ।