ଦୁଇ ଦିନିଆ ରାଜ୍ୟସ୍ତରୀୟ ସମ୍ମିଳନୀ ଆରମ୍ଭ; ସମସ୍ତଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ନୂତନ ସ୍ୱାସ୍ଥ୍ୟନୀତି ପ୍ରବର୍ତନ ସହିତ ଖୁବଶୀଘ୍ର ଭିଜନ୍ – ୨୦୨୫ ଅନୁସାରେ ରାଜ୍ୟବାସୀଙ୍କୁ ବିନାମୂଲ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଆଜିଠାରୁ ଆରମ୍ଭ ହୋଇଥିବା ଦୁଇଦିନିଆ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀମାନଙ୍କ ରାଜ୍ୟସ୍ତରୀୟ ସମ୍ମିଳନୀକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକାଶକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନିୟମିତ ୧୦୦ ଦିନିଆ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବା ସହିତ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଠାରୁ ଆରମ୍ଭ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ମେଡିକାଲ କଲେଜ ଓ ହସପିଟାଲ ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଗୁଣାତ୍ମକତାକୁ ଗୁରୁତ୍ୱ ଦିଆଯିବ ।

ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ଯେ ରାଜ୍ୟରେ ନୂତନ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ସହିତ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଉ କେତୋଟି ମେଡିକାଲ କଲେଜ ନିର୍ମାଣକାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଉଛି । ସୁତରାଂ ରାଜ୍ୟରେ ଅଧିକ ସଂଖ୍ୟକ ଡାକ୍ତର ସୃଷ୍ଟି ହେବେ ଏବଂ ନିକଟ ଭବିଷ୍ୟତରେ ଓଡିଶାରେ ଆବଶ୍ୟକତା ଠାରୁ ଅଧିକ ଡାକ୍ତର ଓ ପାରାମେଡିକ ଉପଲବ୍ଧ ହେବେ ଏବଂ ଡାକ୍ତର ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ “ସୁସ୍ଥ ଓଡିଶା ସୁଖୀ ଓଡିଶା” ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ନିରନ୍ତର ପ୍ରୟାସ ଜାରି ରଖିଛି । ସାର୍ବଜନୀନ ସ୍ୱାସ୍ଥ୍ୟସେବା ଉପଲବ୍ଧି ଲକ୍ଷ୍ୟରେ ୧୫ ଟି ନୂତନ ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଯୋଜନାଗୁଡିକର ସୁଫଳ ରାଜ୍ୟବାସୀଙ୍କ ନିକଟରେ ପହଂଚାଇବା ଦିଗରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଶୃଂଖଳିତ ଓ ସମନ୍ୱିତ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ପରାମର୍ଶ ଦେଇଥିଲେ । ତୃଣମୂଳ ସ୍ତରରୁ ସ୍ୱାସ୍ଥ୍ୟସେବା ବିକାଶ ସଂପର୍କିତ ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଗ୍ରହଣ କରିବା ପାଇଁ ସେ ଜିଲ୍ଲା ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ମନୋଜ କୁମାର ଝଲାନି ଯୋଗ ଦେଇ ରାଜ୍ୟରେ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ । ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡିଶାର ସଫଳତାକୁ ସେ ଉଚ୍ଚ ପ୍ରଶଂସା କରିଥିଲେ । ନିୟମିତ ସମୀକ୍ଷା , ଜ୍ଞାନ ଓ ଅଭିଜ୍ଞତା ବଳରେ ମିଶନର ବିଭିନ୍ନ କାର୍ଯ୍ୟକ୍ରମ ଅତ୍ୟନ୍ତ ଫଳପ୍ରଦ ହୋଇପାରିବ ବୋଲି ସେ କହିଛନ୍ତି । ଶ୍ରୀ ଝଲାନି ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ମତ ବିନିମୟ କରି ମିଶନ୍ର ପ୍ରମୁଖକାର୍ଯ୍ୟକ୍ରମ ଗୁଡିକ ଉପରେ ଆଲୋଚନା କରିଥିଲେ । ରୋଗ ନିରାକରଣ କ୍ଷେତ୍ରରେ ଜିଲ୍ଲା ସ୍ତରୀୟ ପୁରସ୍କାର ପ୍ରବର୍ତନ ପାଇଁ ସେ ଜିଲ୍ଲାପାଳମାନଙ୍କୁ ପ୍ରସ୍ତାବ ଦେଇଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଡାଃ ପ୍ରମୋଦକୁମାର ମେହେର୍ଦ୍ଦା ତାଙ୍କ ଭାଷଣରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ସ୍ଥିତି , ବିକାଶ ଓ ସରକାରଙ୍କ ପ୍ରବର୍ତିତ ବିଭିନ୍ନ ପ୍ରମୁଖ କାର୍ଯକ୍ରମ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉଦ୍ଘାଟନ ଅଧିବେଶନ ପରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ କାର୍ଯ୍ୟକ୍ରମ – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା, ନିରାମୟ , ସୁନେତ୍ର , ସହାୟ , ନିର୍ମଳ , ଟୀକାକରଣ , ଅଣସଂକ୍ରମିତ ରୋଗ ନିରାକରଣ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ବିସ୍ତୃତ ସମୀକ୍ଷା ଓ ଆଲୋଚନା ହୋଇଥିଲା ।